Categories: ଜାତୀୟ

ସରକାରୀ ଅଧିକାରୀଙ୍କୁ ତାଲିବାନୀଙ୍କ ସହ ତୁଳନା କଲେ କୃଷକ ନେତା

ଚଣ୍ଡିଗଡ଼,୨୯।୮: କୃଷକଙ୍କ ମୁଣ୍ଡକୁ ମାରି ପଠାଇଦେବା ପାଇଁ ପୋଲିସକର୍ମୀଙ୍କୁ ଜଣେ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଆମକୁ ଖଲିସ୍ତାନୀ କହୁଛନ୍ତି। ଯଦି ତୁମେ ଆମକୁ ଖଲିସ୍ତାନୀ ଓ ପାକିସ୍ତାନୀ କହିବ, ତେବେ ଆମେ କହିବୁ ସରକାରୀ ତାଲିବାନୀ ପୂରା ଦେଶକୁ ମାଡ଼ି ବସିଛନ୍ତି। ସେମାନେ ସରକାରୀ ତାଲିବାନ୍‌। ଏଭଳି ସ୍ବରରେ କର୍ନାଲ ଏସ୍‌ଡିଏମ୍‌ ଆୟୂଷ ସିହ୍ନାଙ୍କୁ ସମାଲୋଚନା କରିଛନ୍ତି ଭାରତୀୟ କିଷାନ ୟୁନିଅନ (ବିକେୟୁ) ନେତା ରାକେଶ ଟିକାଏତ୍‌।

ଆନ୍ଦୋଳନରତ କୃଷକଙ୍କୁ ସମ୍ବୋଧନ ଦେଇ ଟିକାଏତ୍‌ କହିଛନ୍ତି, ଏଭଳି ସରକାରୀ ଅଧିକାରୀଙ୍କୁ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ପୋଷ୍ଟିଂ ଦିଆଯିବା ଉଚିତ୍‌।

ଉଲ୍ଲେଖଯୋଗ୍ୟ, ଭାଜପା ନେତାଙ୍କ ଏକ ବୈଠକକୁ ବିରୋଧ କରି କୃଷକମାନେ ହରିୟାଣାର କର୍ନାଲଠାରେ ଆନ୍ଦୋଳନ କରୁଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମୀଙ୍କୁ କୃଷକଙ୍କ ମୁଣ୍ଡ ଫଟାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏସ୍‌ଡିଏମ୍‌ ଆୟୂଷ। ପୋଲିସ କର୍ମୀଙ୍କୁ ନିର୍ଦ୍ଦେଶ ଦେବାର ବେଳର ଭିଡିଓ ଭାଇରାଲ ହେବା ପରେ ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ସମେତ ବହୁ ଜାତୀୟ ରାଜନେତା ଏହି ଘଟଣାକୁ ନିନ୍ଦା କରିଥିଲେ। ତେବେ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲା ରବିବାର ଏସ୍‌ଡିଏମ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Share