ଦୁର୍ବ୍ୟବହାର ନେଇ ସରପଞ୍ଚଙ୍କ ଏତଲା

ଛେଣ୍ଡିପଦା, ୨୬ା୯ (ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକ ବାଗଡିଆ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପିଅନଙ୍କୁ ଦେହୁରୀସାହି ଗ୍ରାମର ମହିଳାମାନେ ଦୁର୍ବ୍ୟବହାର ସହିତ ଜାତିଆଣ ମନ୍ତବ୍ୟ ଦେଇ ଗାଳିଗୁଲଜ କରିଥିବା ରବିବାର ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ସୋମବାର ସାହିର ମହିଳାମାନଙ୍କ ପକ୍ଷରୁ ସରପଞ୍ଚଙ୍କ ବିରୋଧରେ ଏକ ଦାବିପତ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।
ପୋଲିସ କହିଛି, ବାଗଡିଆ ସରପଞ୍ଚ ପୁଷ୍ପଲତା ବେହେରା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ କୌଣସି କାମରେ ବଣିଆନଟି ପ୍ରାଥମିକ ବିଦ୍ୟାଳୟକୁ ଯାଇ ଫେରୁଥିବା ବେଳେ ଦେହୁରୀ ସାହିର ମହିଳାମାନେ ରାସ୍ତାରେ ତାଙ୍କୁ ଅଟକାଇ ଦୁର୍ବ୍ୟବହାର କରିବା ସହିତ ଜାତିଆଣ ମନ୍ତବ୍ୟ ଓ ଗାଳିଗୁଲଜ କରିଥିଲେ। ଏ ନେଇ ସରପଞ୍ଚ ରବିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୪୬୧/୨୨ରେ ଏକ ମାମଲା ରୁଜୁ କରିଛି। ସୋମବାର ଅପରାହ୍ନରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଡିଏସ୍‌ପି ରମାକାନ୍ତ ମାହାଳିକ ଓ ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ କୁମାର ବେହେରା ଘଟଣାର ତଦନ୍ତ କରିଥିଲେ। ଅପରପକ୍ଷରେ ସୋମବାର ଦେହୁରୀ ସାହିର ମହିଳାମାନେ ଥାନାକୁ ଆସି ସରପଞ୍ଚଙ୍କ ବିରୋଧରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବାବେଳେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଧୀରେନ କୁମାର ବେହେରା ପ୍ରକାଶ କରିଛନ୍ତି।