ସର୍ବେଶ୍ୱରଙ୍କୁ ରିମାଣ୍ଡରେ ଆଣିଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ସୋମବାରଠାରୁ ୨ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ପ୍ରଥମେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ଜେରା ଆରମ୍ଭ ହୋଇଛି। ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ଠକେଇ ସହ ପ୍ରଦୀପଙ୍କ ଆକାଉଣ୍ଟରେ ଟଙ୍କା କାରବାର ସଂକ୍ରାନ୍ତରେ ଅଧିକ ତଥ୍ୟ ପାଇବାକୁ ଆଶା ରଖିଛି କ୍ରାଇମବ୍ରାଞ୍ଚ। ଟାଟା କମ୍ପାନୀରେ ଚାକିରି ଦେବା ନାଁରେ କିପରି ଠକେଇ ର଼୍ୟାକେଟ୍‌ ଚାଲୁଥିଲା, ଏଥିରେ ବେକାର ଯୁବତୀଯୁବକ ଓ ଅଭିଭାବକଙ୍କୁ କିପରି ଫସାଯାଉଥିଲା ଓ ପ୍ରତି ପିଲା ପିଛା କେତେ ଆଦାୟ କରାଯାଉଥିଲା ସେନେଇ କିଛି ପୁରୁଣା ପ୍ରଶ୍ନ ସହ କେତେକ ନୂଆ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା। ତେବେ ଜେରାବେଳେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀମାନେ ସର୍ବେଶ୍ୱରଙ୍କଠାରୁ କିଛି ନୂଆ ତଥ୍ୟ ପାଇଛନ୍ତି। ଠକେଇ ଓ ବେଆଇନ ଅର୍ଥ କାରବାରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଥିବାରୁ ସେମାନଙ୍କୁ ଗିରଫ ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବ୍ରହ୍ମପୁର ସମେତ ଅନ୍ୟ କେତେକ ଅଞ୍ଚଳକୁ ଯାଇପାରେ ବୋଲି ବିଶ୍ୱସ୍ତସୂତ୍ରରୁ ଜଣାପଡିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତ, ଟାଟା କମ୍ପାନୀ ନାଁରେ ନିଯୁକ୍ତି ଜାଲିଆତି ଓ ଠକେଇ ମାମଲାରେ ତାଙ୍କ ପୁଅ ଆକାଶ ଏବଂ ଏସବୁ ଲିଙ୍କ୍‌ ସହ ବେଆଇନ ଅର୍ଥ କାରବାର ମାମଲାରେ ଆକାଶଙ୍କ ଭାବୀ ଶଶୁର ପ୍ରଦୀପ ଗିରଫ ହୋଇଥିଲେ। ଏହାପରେ ଠକେଇ ଓ ପ୍ରଦୀପଙ୍କ ଲିଙ୍କ୍‌ରେ ଗତ ୧୭ ତାରିଖରେ ସର୍ବେଶ୍ୱରଙ୍କୁ କ୍ରାଇମ୍‌ବ୍ରାଞ୍ଚ ବ୍ରହ୍ମପୁରରୁ ଗିରଫ କରିଥିଲା। ସେହିଭଳି ଆକାଶଙ୍କ ବ୍ୟକ୍ତିଗତ ସହାୟକ ପିଟର ଡେଭିଡ୍‌ଙ୍କୁ ମଧ୍ୟ ପୁଣେରୁ ଆଣି ପଚରାଉଚରା ପରେ ଛାଡ଼ି ଦିଆଯାଇଥିଲା। ମାତ୍ର ସର୍ବେଶ୍ୱରଙ୍କ ସମ୍ପର୍କରେ ସବିଶେଷ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା। ପୂର୍ବରୂ ଏହି ଲିଙ୍କରେ ଆକାଶ ପାଠକ ୫ ଦିନିଆ ରିମାଣ୍ଡରେ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ୨ ଦିନିଆ ରିମାଣ୍ଡରେ ପଚରାଉଚରା କରିସାରିଛି କ୍ରାଇମବ୍ରାଞ୍ଚ ଟିମ୍‌। ପ୍ରଦୀପଙ୍କ ରାଜନୈତିକ ତଥା ଅର୍ଥନୈତିକ କାରବାର ବୁଝାଶୁଝା କରୁଥିବା ସର୍ବେଶ୍ୱର ଠକେଇରେ ମିଡିଲ୍‌ ମ୍ୟାନ ଥିବାରୁ ତାଙ୍କଠାରୁ ଅଧିକ କିଛି ତଥ୍ୟ ମିଳିବା ଆଶାରେ ତାଙ୍କୁ ରିମାଣ୍ଡରେ ଅଣାଯାଇଥିବା କୁହାଯାଉଛି।

Share