ଭାରତରେ ଥିବା ବିଭିନ୍ନ ବିଲୁପ୍ତପ୍ରାୟ ଅଧିକାଂଶ ଜୀବଜନ୍ତୁ ବିପଜ୍ଜନକ ପରିସ୍ଥିତିରେ ଅଛନ୍ତି। କୁହାଯାଉଛି, ଜନସଂଖ୍ୟା ବୃଦ୍ଧି ଯୋଗୁ ମଣିଷ ତାଙ୍କର ଚରାଭୂଇଁରେ ପ୍ରବେଶ କରୁଥିବା ଫଳରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟିହେଉଛି। ଏଭଳି ମତ କେତେକାଂଶରେ ସତ ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଛବି ନୁହେଁ। ହାତୀଠାରୁ ଆରମ୍ଭ କରି ଅନ୍ୟସବୁ ଜୀବଜନ୍ତୁଙ୍କର ଜୀବନ ଭାରତରେ ଆଜି ଯଦି ବିପନ୍ନ ତେବେ ତାହାର ମୁଖ୍ୟ କାରଣ ହେଉଛି ଖଣି ଖନନ କାର୍ଯ୍ୟ, ଶିଳ୍ପ ପ୍ରତିଷ୍ଠା ଏବଂ ରାସ୍ତା ଓ ରେଳ ଲାଇନ ନିର୍ମାଣ। ଅର୍ଥାତ୍‌ ଅନ୍ଧାଧୁନିଆ ପ୍ରଗତି ଏହି ଉପମହାଦେଶର ପ୍ରାକୃତିକ ସମ୍ପଦକୁ ଧ୍ୱଂସ କରିଦେଉଛି। ଏଠାରେ ମନେରଖିବାକୁ ହେବ ଯେ,ଶିଳ୍ପାୟନ ଓ ପ୍ରଗତିକୁ ରୋକିବା ସମ୍ଭବପର ନୁହେଁ। ଅନ୍ୟପଟେ ହାତୀ ଭଳି ଜୀବ ଯଦି ଲୋପ ପାଇଯାଏ ତେବେ ମଣିଷ ବଞ୍ଚିବା କଷ୍ଟକର ହୋଇପଡ଼ିବ। ସେଥିପାଇଁ ଉଭୟ ପ୍ରଗତି ଓ ପ୍ରାକୃତିକ ପରିବେଶର ଏକ ସମନ୍ବୟ ସୃଷ୍ଟି କରିବା ଅତ୍ୟନ୍ତ ଆବଶ୍ୟକ। ଏହା ଅସମ୍ଭବ ନୁହେଁ, କାରଣ ଆଫ୍ରିକା ମହାଦେଶର ଅନେକ ଦେଶ ଏହି ସମନ୍ବୟ ସୃଷ୍ଟି କରିବାରେ ସଫଳ ହେଲେଣି। ଏଥିପାଇଁ ଦରକାର ସରକାରୀ ସ୍ତରରେ ବାସ୍ତବ ପ୍ରଚେଷ୍ଟା ସହିତ ଜନସାଧାରଣଙ୍କ ସଚେତନତା ଓ ସହଯୋଗ।
ସେପ୍ଟେମ୍ବର ୨୦୨୨ରେ ଆଫ୍ରିକୀୟ ଦେଶ ନାମିବ୍ୟାରୁ ପ୍ରଥମ ପର୍ଯ୍ୟାୟରେ ଅଣାଯାଇଥିବା ୮ଟି ଚିତାବାଘ ମଧ୍ୟରୁ ଗୋଟିକର ମାର୍ଚ୍ଚ ୨୭ରେ ମୃତ୍ୟୁ ହୋଇଛି। ୫ ବର୍ଷ ବୟସ୍କା ସାଶା ନାମ୍ନୀ ଉକ୍ତ ବାଘୁଣୀର ମୃତ୍ୟୁ କିଡ୍‌ନୀ ସଂକ୍ରମଣ ଯୋଗୁ ହୋଇଥିବା ମଧ୍ୟପ୍ରଦେଶ ବନ ବିଭାଗ ଜଣାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଆଡମ୍ବରରେ ଏବଂ ଅନେକ ଫଟୋ ଉଠିବା ପରେ ତାଙ୍କ ଜନ୍ମ ଦିନରେ ୩ ଚିତାବାଘକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ନିରୀକ୍ଷଣ ବଳୟରେ ଥିବା ସୀମିତ ଅଞ୍ଚଳ ମଧ୍ୟକୁ ଛାଡ଼ିଥିଲେ। ପରେ ଅନ୍ୟ କେତେକ ଚିତାବାଘ ମଗାଯାଇ ସେହିଠାରେ ରଖାଯାଇଥିଲା। ନିରୀକ୍ଷଣ ବଳୟରେ ଥିବା ସୀମିତ ଅଞ୍ଚଳ ମଧ୍ୟରେ ଦୀର୍ଘ ୭ ମାସ ରହିବା ପରେ ଚଳିତ ମାସରେ ଚିତାମାନଙ୍କ ମଧ୍ୟରୁ ୪ଟିକୁ ଜଙ୍ଗଲ ମଧ୍ୟକୁ ଛଡ଼ାଯାଇଛି ଓ ସୁସ୍ଥ ଥିବା ଆଉ ଗୋଟିକୁ ଖୁବ୍‌ ଶୀଘ୍ର ମୁକ୍ତ କରାଯିବ ବୋଲି କୁହାଯାଇଛି। ସାଶା ସହ ଆଉ ଦୁଇଟି ଚିତା ଖୋଲା ଜଙ୍ଗଲରେ ବଞ୍ଚିବା ସମ୍ଭାବନା କମ୍‌ ବୋଲି ବିଶେଷଜ୍ଞ ଜଣାଇବା ପରେ ସେମାନଙ୍କୁ ହଣ୍ଟିଂ ଏନ୍‌କ୍ଲୋଜରରେ ରଖାଯାଇଥିଲା । ତେବେ ଭାରତକୁ ଆସିବା ପୂର୍ବରୁ ସାଶା ଏହି ରୋଗରେ ଆକ୍ରାନ୍ତ ଥିଲା ବୋଲି ବନ ବିଭାଗ କହୁଥିଲାବେଳେ ଚିତା ପ୍ରୋଜେକ୍ଟର ଭାଗୀଦାରି ଥିବା ନାମିବ୍ୟା ସ୍ଥିତ ଓ୍ବାଇଲ୍ଡ ଲାଇଫ୍‌ ଏନ୍‌ଜିଓ ଚିତା କଞ୍ଜରଭେଶନ ଫଣ୍ଡ୍‌ର ସଂଯୋଜକ ଏହାକୁ ଖଣ୍ଡନ କରିଛନ୍ତି। ଅପରପକ୍ଷରେ ମଧ୍ୟପ୍ରଦେଶ ବନ ବିଭାଗ କହିଛି ଯେ ଏହି ରୋଗ ଜାନୁୟାରୀ ୨୨ରେ ଠାବ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ଏହା ଜଣାଶୁଣା ଯେ, ଭାରତରେ ସରକାରୀ ବିଭାଗ ଓ ତାହାର କର୍ମଚାରୀମାନେ କେବେହେଲେ କୌଣସି ବିଫଳତା ପାଇଁ ନିଜ ଉପରକୁ ଦାୟିତ୍ୱ ନିଅନ୍ତି ନାହିଁ। ସେଥିପାଇଁ କୁନୋ ଜାତୀୟ ଉଦ୍ୟାନର କର୍ମଚାରୀମାନେ ସ୍ବାଭାବିକ ଭାବେ ସାଶା ପୂର୍ବରୁ କିଡ୍‌ନୀ ଯୋଗରେ ଆକ୍ରାନ୍ତ ଥିଲା ବୋଲି କହିଦେଲେ। ନିଜ ହାତ ଧୋଇଦେବାବେଳେ ସେମାନେ ଭାବିବା ଉଚିତ ଥିଲା ଯେ, ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ଏହି ଜନ୍ତୁ କିଣିବାର ନିର୍ଦ୍ଦେଶ ଦେଇଥିବେ ସେତେବେଳେ ପଶୁ ଚିକିତ୍ସକମାନେ ପ୍ରତ୍ୟେକ ଜନ୍ତୁର ସ୍ବାସ୍ଥ୍ୟାବସ୍ଥାକୁ ନିରୀକ୍ଷଣ କରି ଆଣିଥିବେ।
ଚିତା ପ୍ରୋଜେକ୍ଟର ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ବର୍ଷ ଫେବୃୟାରୀ ୧୮ରେ ଦକ୍ଷିଣ ଆଫିକାରୁ ଆଉ ୧୨ଟି ଚିତା ଅଣାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୧୯୪୭ରେ ଶେଷ ଚିତାର ମୃତ୍ୟୁ ହେବା ପରେ ୧୯୫୨ ମସିହାରେ ଏହି ଜୀବକୁ ବିଲୁପ୍ତ ଘୋଷଣା କରାଯାଇଥିଲା। ତେବେ ଭାରତକୁ ଚିତା ଫେରାଇ ଆଣିବା ଲାଗି ୨୦୦୯ରେ ଉପା ସରକାର ଅମଳରେ ଚିତା ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା। ଚିତାବାଘର ବଂଶ ବୃଦ୍ଧି କରି ଭାରତରେ ସ୍ଥିତି ମଜଭୁୁତ କରିବା ଲାଗି ପାଖାପାଖି ଏକ ଦଶନ୍ଧି ପରେ ଏହି ପଦକ୍ଷେପ ନିଆଯାଇଛି। ତେବେ ପ୍ରୋଜେକ୍ଟ ଆରମ୍ଭ ହେବାର ୭ ମାସ ମଧ୍ୟରେ ଚିତାବାଘୁଣୀ ସାଶାର ମୃତ୍ୟୁ ଏକ ଆହ୍ବାନ ସୃଷ୍ଟି କରିଛି ।
ଚିତାଙ୍କୁ ନାମିବ୍ୟାରୁ ଆଣିବାବେଳେ ବନ୍ୟଜନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥିଲେ ଯେ, ସ୍ଥାନାନ୍ତର ଜନିତ ଚାପ ଓ ଅଜଣା ସ୍ଥାନ ସେମାନଙ୍କୁ ରୋଗଗ୍ରସ୍ତ କରିପାରେ। ଏହାବ୍ୟତୀତ ଇଣ୍ଟରନ୍ୟାଶନାଲ ୟୁନିୟନ୍‌ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର (ଆଇୟୁସିଏନ୍‌)ର ମାର୍ଗଦର୍ଶିକା ସୂଚିତ କରେ ଯେ, ଗୋଟିଏ ସ୍ଥାନରୁ ଅନ୍ୟ ଏକ ଅଞ୍ଚଳକୁ ଜୀବମାନଙ୍କୁ ନିଆଗଲେ ସେମାନେ ଜୀବାଣୁ ଓ ଭୂତାଣୁ ସଂକ୍ରମଣ ମୁକ୍ତ ରହିବେ ନାହିଁ। ଗୋଟିଏ ପକ୍ଷେ ଶିକାରୀ ଭୟ ଓ ଅନ୍ୟପଟେ ଆହାର ଅଭାବ ସହିତ ଜୈବବିବିଧତା ସଙ୍କଟ ଏମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ଅଧିକ। ଅତୀତକୁ ଦେଖିଲେ ଭାରତୀୟ ଚିତାଙ୍କ ଆଶ୍ରୟସ୍ଥଳୀ ଭାବେ ଜଣାଶୁଣା କୁନୋ ଜଙ୍ଗଲରୁ ଏମାନେ ଲୋପ ପାଇଯାଇଥିଲେ। ଅନ୍ୟପକ୍ଷରେ ଭାରତରେ ଅନ୍ୟ ବାଘମାନଙ୍କ ମୃତ୍ୟୁ ଉପରେ ଅଙ୍କୁଶ ଲାଗି ପାରୁନାହିଁ କିମ୍ବା ସେମାନଙ୍କ ସଂରକ୍ଷଣରେ ଆଶାଜନକ ଫଳାଫଳ ମିଳିପାରୁନାହିଁ। ଏସବୁକୁ ବିଚାରକଲେ ଭାରତରୁ ଚିତା ବିଲୁପ୍ତ ହେବାର ୭୦ ବର୍ଷ ପରେ କୁନୋ ଜାତୀୟ ଉଦ୍ୟାନରେ ସେମାନଙ୍କ ସଂରକ୍ଷଣ ଯୋଜନା ସାମ୍ପ୍ରତିକ ସ୍ଥିତିରେ ଏକ କଠିନ ବ୍ୟାପାର ବୋଲି ମନେହୁଏ। ଏଥିସହିତ ଭାରତରେ ଥିବା ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ରଖିବାର ଏବଂ ତାଙ୍କର ବଂଶବୃଦ୍ଧି ପାଇଁ ଅର୍ଥ ଖର୍ଚ୍ଚ କରାଯିବା ବୁଦ୍ଧିମାନର କାର୍ଯ୍ୟ ହୋଇଥାନ୍ତା। କିନ୍ତୁ ତାହା କଲେ ପ୍ରଚାର କରିବା ସମ୍ଭବପର ହେବ ନାହିଁ। ତେଣୁ ଭାରତୀୟଙ୍କୁ ନିଷ୍ପତ୍ତି ନେବାକୁ ହେବ ସେମାନେ ପରିବେଶ ସୁରକ୍ଷା ଚାହାନ୍ତି ନା ପ୍ରଚାର ଖୋଜୁଛନ୍ତି।