ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଢେଙ୍କାନାଳ ଲୋକ ସଭା ଆସନ ପାଇଁ ସସ୍ମିତାଙ୍କ ନାମ ଘୋଷଣା କରାଯାଇଛି ବୋଲି ଢେଙ୍କାନାଳ ଜିଲା କଂଗ୍ରେସ ସଭାପତି ସୁନୀଲ ଦାସ ସୂଚନା ପ୍ରଦାନ କରିଛନ୍ତି। କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ପୂର୍ବରୁ ବିଜେଡି ଡା. ଅବିନାଶ ସାମଲଙ୍କୁ ଲୋକ ସଭା ପ୍ରାର୍ଥୀ କରିଥିବା ବେଳେ ଭାଜପା ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣିଙ୍କ ନାମ ଘୋଷଣା କରିଥିଲା। ତେଣୁ ବିଜେଡିର ଡା. ଅବିନାଶ ଓ ଭାଜପାର ରୁଦ୍ର ପାଣିଙ୍କୁ କଂଗ୍ରେସ ପ୍ରାର୍ଥୀ ସସ୍ମିତା କଡ଼ା ଟକ୍କର ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ହେଉଛନ୍ତି ସସ୍ମିତା ବେହେରା। ସେ ଦୀର୍ଘବର୍ଷ ଧରି କଂଗ୍ରେସରୁ ରାଜନୀତି କରି ଆସୁନ୍ତି। ଏପରି କି ୨୦୦୨ ମସିହାରେ ତାଳଚେର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ। ୨୦୦୭ରେ ଅନୁଗୋଳ ଜିଲା ପରିଷଦ ସଭାପତି ଦାୟିତ୍ୱ ତୁଲାଇଥିଲେ। ୨୦୧୪ରେ କଂଗ୍ରେସ ତାଙ୍କୁ ତାଳଚେର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଥିବା ବେଳେ ୨୦୧୯ରେ ଛେଣ୍ଡିପଦା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ସେ ସାଧାରଣ ନିର୍ବାଚନ ଲଢ଼ିଥିଲେ।

Share