ସଙ୍ଗୀତ ନିଶାରେ ସସ୍ମିତା

କଣ୍ଠଶିଳ୍ପୀ ସସ୍ମିତା ମହାପାତ୍ର । ଭଜନ, ଆଲବମ୍‌ରେ କଣ୍ଠଦାନ କରିବା ପରେ ଏବେ ବଡ଼ ପରଦା ପାଇଁ ଗାଇବାକୁ ଯାଉଛନ୍ତି। ଅର୍ଥାତ୍‌ ଏବେ ୨-୩ଟି ନୂଆ ଓଡ଼ିଆ ସିନେମା ଲାଗି ଗୀତ ଗାଇବାକୁ ଯାଉଛନ୍ତି ସେ । ଏ ନେଇ ସେ କହନ୍ତି, ‘ଜଣେ କଣ୍ଠଶିଳ୍ପୀ ହେବା ପାଇଁ ମୋ ଜେଜେ ପଣ୍ଡିତ ଭୀମସେନ ମହାପାତ୍ର ମୋତେ ପ୍ରୋତ୍ସାହିତ କରିଥିଲେ। ଗୁରୁ ଏମ୍‌ ମୁସୀର, ଶରତ ଦାସ, ସଞ୍ଜୟ ଦାସ, ସାରଦା ସାହୁଙ୍କଠାରୁ ସଙ୍ଗୀତ ଶିକ୍ଷା କରିବା ପରେ ଏହାକୁ କ୍ୟାରିୟର କରିବାକୁ ସ୍ଥିର କରିଥିଲି। ମୁଁ ଗାଇଥିବା ଗୀତଗୁଡ଼ିକୁ ଶ୍ରୋତା ଗ୍ରହଣ କରିଛନ୍ତି ତାହା ମୋ ପାଇଁ ବଡ଼ କଥା। ସେମାନଙ୍କ ପାଇଁ ଆଜି ମୁଁ ଜଣେ କଣ୍ଠଶିଳ୍ପୀ ଭାବରେ ନିଜକୁ ପରିଚିତ କରାଇପାରିଛି।’ କାଳୀପ୍ରସାଦ ପଣ୍ଡାଙ୍କ ଆଲ୍‌ବମ୍‌ରେ ପ୍ରଥମେ ସସ୍ମିତା ଗୀତ ଗାଇବାର ସୁଯୋଗ ପାଇଥିଲେ। ତା’ପରେ ମହମ୍ମଦ ମୁସୀର, ଶରତ ନାୟକ, ମହେନ୍ଦ୍ର ଓଝା, ଲଳିତ କୁମାର ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି ସେ। ଗାୟକ ବିଷ୍ଣୁମୋହନ କବି, ତାରିକ ଅଜିଜ୍‌, ସତ୍ୟଜିତ, ଶଶାଙ୍କ, ସୌୟମ ପାଢ଼ୀ ପ୍ରମୁଖଙ୍କ ସହିତ ସସ୍ମିତା ଅନେକ ଗୀତ ଗାଇ ସାରିଛନ୍ତି। ଆଲବମ ଗୀତ ରାତି ସାରା ନିଦ ନାହିଁ, ମୁଁ ଟ୍ବିନ ସିଟି କୁଇନ୍‌, ମମି କସମ, ଦିିୱାନା ତୁ, ଲାଗୁଛୁ ମଲାଇ ମିଠା, ତୁ କେଡ଼େ ସ୍ବାର୍ଥପର, ଅଭିନନ୍ଦନ, ଚୁଲ୍‌ବୁଲି ନାୟିକା ଆଦି ଆଲବମ୍‌ ଗୀତରେ ସେ ସାଉଁଟିଛନ୍ତି ଅନେକ ପ୍ରଶଂସା। ଅନେକ ଭଜନ ଆଲବମ୍‌ରେ ମଧ୍ୟ କଣ୍ଠଦାନ କରି ସାରିଛନ୍ତି ଏହି କଣ୍ଠଶିଳ୍ପୀ। ଦାରୁ ମୂରତି, କାଳିଆ ଧନରେ, ଆଜିର ଜୀବନ କାଲିକି ନାହିଁ, ଜଗନ୍ନାଥ ଆଦି ଗଭନ କ୍ୟାସେଟ୍‌ ପାଇଁ ସେ କଣ୍ଠଦାନ କରି ସାରିଛନ୍ତି।

Share