ପୁରୀ ଅଫିସ,୨୦ା୮: ସପ୍ତପୁରୀ ଅମାବାସ୍ୟାରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସାତପୁରୀ ପିଠା ଲାଗି ହୋଇଛି। ଅମାବାସ୍ୟା ହେତୁ ନାରାୟଣ ସାଗର ବିଜେ କରିଛନ୍ତି। ଏଥିସହ ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣ ଲୀଳାରେ ବସ୍ତ୍ର ହରଣ ନୀତି ମଧ୍ୟ ସମ୍ପନ୍ନ ହୋଇଛି।
ଅବକାଶ ନୀତି ପରେ ତିନିବାଡ଼ରେ ବେଶ ବଢି ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲା। ସାତପୁରୀ ରୋଷରେ ରୋଷ ହୋମ ସମ୍ପନ୍ନ ହୋଇ ସାତପୁରୀ ପିଠା ପ୍ରସ୍ତୁତ କରାଯାଇଥିଲା। ସକାଳ ଧୂପରେ ସାତପୁରୀ ଭୋଗ ତାଟ ରୋଷରୁ ମହାପ୍ରଭୁଙ୍କ ନିକଟକୁ ଆସିଥିଲା। ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ମଣୋହୀ କରିଥିଲେ। ଭିତର ଆଳତି ବଢିବା ପରେ ପୂଜାପଣ୍ଡା, ମୁଦିରସ୍ତ ଏବଂ ପତି ମହାପାତ୍ର ୩ ବାଡ଼ରେ ବନ୍ଦାପନା କରିଥିଲେ।
ଅମାବାସ୍ୟା ନାରାୟଣଙ୍କ ସାଗର ବିଜେ: ମହୋଦଧି ତଥା ସମୁଦ୍ର ହେଉଛି ମହାପ୍ରଭୁଙ୍କ ଶ୍ୱଶୁର ଘର। ପ୍ରତି ଅମାବାସ୍ୟାରେ ଅମାବାସ୍ୟା ନାରାୟଣ ସାଗର (ସମୁଦ୍ର) ବିଜେ କରିଥାନ୍ତି। ଶ୍ରୀମନ୍ଦିରରେ ସକାଳ ଧୂପ ପରେ ଦକ୍ଷିଣୀଘରୁ ଆମାବାସ୍ୟା ନାରାୟଣ ରତ୍ନସିଂହାସନକୁ ବିଜେ ହୋଇଥିଲେ। ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ନାରାୟଣ ବଟମୂଳ ପାଲିଙ୍କିରେ ବିଜେ କରିଥିଲେ। ବିମାନବଡୁମାନେ ପାଲିଙ୍କିକୁ ସମୁଦ୍ର କୂଳକୁ ବିଜେ କରାଇଥିଲେ। ଗରାବଡୁ ସେବକ ରୁପା ପିଙ୍ଗଣରେ ସମୁଦ୍ର ଜଳ ଆଣିଥିଲେ। ଏହି ଜଳକୁ ପୂଜାପଣ୍ଡା ସାମନ୍ତ ସଂସ୍କାର କରି ନାରାୟଣଙ୍କ ପାଦଧୌତ କରିଥିଲେ। ସାବତ ନିଯୋଗ ପକ୍ଷରୁ ପଣାଭୋଗ ସମର୍ପଣ ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।
ବସ୍ତ୍ରହରଣ ଲୀଳା: ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ବଢିବା ପରେ ମଦନମୋହନ ସିଂହାସନ ଉପରକୁ ବିଜେ କରିଥିଲେ। ସେଠାରୁ ଆଜ୍ଞାମାଳ ପାଇ ନାଟ ମନ୍ଦିର ଖଟକୁ ବିଜେ ହୋଇଥିଲେ। ସେଠାରେ ବସ୍ତ୍ରହରଣ ଲୀଳା ହୋଇଥିଲା। ଦ୍ୱାପର ଯୁଗରେ ଗୋପପୁରରେ ଗୋପୀମାନେ ଗାଧୋଉଥିବାବେଳେ ତାଙ୍କ ବସ୍ତ୍ରକୁ ଶ୍ରୀକୃଷ୍ଣ ହରଣ କରି ନେଇଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ଏହି ଲୀଳା ଅନୁଷ୍ଠିତ ହୋଇଥାଏ। ଏହି ନୀତି ପରେ ଶୀତଳ ଭୋଗ ବନ୍ଦାପନା ସରି ମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିଥିଲେ।