ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ

ଭୁବନେଶ୍ବର, ୩୦।୪: ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତର ୨୪ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ୨୨କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭ ଓ ୨୮ତାରିଖ ୨ଦିନ ଧରି ୫ଟି ସଚିବ କେନ୍ଦ୍ରାପଡା ଗସ୍ତ କରିଥିଲେ। ଶୁକ୍ରବାର ଗସ୍ତର ୨ୟ ଦିନରେ ସେ ସାତଭାୟା ବଗପାଟିଆ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ପାଣ୍ଡିଆନ ବିସ୍ଥାପିତ ଲୋକମାନଙ୍କୁ ଭେଟିଥିଲେ। ସେମାନଙ୍କ ସମସ୍ୟା ବୁଝିଥିଲେ। ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ମତାମତ ପଚାରି ବୁଝିଥିଲେ। ପରେ ଭୁବନେଶ୍ବର ଫେରି ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ।

ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସାତଭାୟା ବଗପାଟିଆ ଆଦର୍ଶ କଲୋନୀ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ତୁରନ୍ତ ୨୨କୋଟି ୫୦ଲକ୍ଷ ୭୧ହାଜର ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ସେ ଅଞ୍ଚଳରେ ବନ୍ଧବାଡର ସୁଦୃଢୀକରଣ ସହିତ ହିତାଧିକାରୀଙ୍କ ବାସଗୃହ, ଜୀବିକା କାର୍ଯ୍ୟକ୍ରମ, ରାସ୍ତା, ପିଇବା ପାଣି, ବିଜୁଳି ଓ ପଞ୍ଚାୟତ ଗୃହ ଆଦି ଭିତ୍ତିଭୂମିର ବିକାଶ କରାଯିବ। ଏହା ସହିତ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସେମାନଙ୍କୁ ଚାଷ ଜମି ମଧ୍ୟ ଯୋଗାଇଦିଆଯିବ। ସେହିପରି ପ୍ରସିଦ୍ଧ ପଞ୍ଚୁବରାହୀ ପୀଠରେ ଭିତ୍ତିଭୂମିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସହ ଲାଇଟ୍‌ ଏବଂ ସାଉଣ୍ଡର ବ୍ୟବସ୍ଥା କରାଯାଇ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟକ ସ୍ଥାନ ଭବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ଏହି ସମସ୍ତ କାମ ୫ଟି ଉପକ୍ରମରେ ତୁରନ୍ତ ହାତକୁ ନେଇ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାତଭାୟା ଅଞ୍ଚଳ ସମୁଦ୍ରରେ ଲୀନ ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ଲୋକଙ୍କୁ ବଗପାଟିଆରେ ଥଇଥାନ କରାଯାଉଛି।

Share