ଭୂ-ପୃଷ୍ଠର ଜଳସ୍ତର ମାପିବ ସାଟେଲାଇଟ୍‌

ଓ୍ବାଶିଂଟନ୍‌,୧୫।୧୨ : ବିଶ୍ୱର ଅନେକ ଦେଶରେ ଏବେ ଜଳକଷ୍ଟ ବଡ଼ ସମସ୍ୟା ପାଲଟିଛି। ଜଳର ଅପବ୍ୟବହାର ସାଙ୍ଗକୁ ଭୂ-ପୃଷ୍ଠରେ ଜଳସ୍ତର କମିବା ଯୋଗୁ ଅନେକ କୋଟି ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏହି ସମସ୍ୟାର ପ୍ରମୁଖ କାରଣ କ’ଣ ହୋଇଥାଇପାରେ? ପୃଥିବୀ ପୃଷ୍ଠରେ କେତେ ପରିମାଣର ଜଳ ଗଚ୍ଛିତ ହୋଇରହିଛି? ସେ ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ମହାକାଶକୁ ସାଟେଲାଇଟ୍‌ ପ୍ରେରଣ କରିବାକୁ ଯାଉଛି। ଏହି ଉପଗ୍ରହ ଭୂ-ପୃଷ୍ଠରେ ଥିବା ଜଳସ୍ତର ମାପ କରିବ।

ସଦର୍ନ କାଲିଫର୍ନିଆର ଭନ୍ଦେନବର୍ଗ ୟୁଏସ୍‌ ସ୍ପେସ୍‌ ଫୋର୍ସ ବେସ୍‌ରୁ ନାସା ଗୁରୁବାର ସର୍‌ଫେସ୍‌ ଓ୍ବାଟର ଆଣ୍ଡ୍‌ ଓସେନ୍‌ ଟୋପୋଗ୍ରାଫି (ଏସ୍‌ଡବ୍ଲ୍ୟୁଓଟି) ସାଟେଲାଇଟ୍‌ ଲଞ୍ଚ କରିବ। ସ୍ପେସ୍‌ଏକ୍ସର ଫାଲକନ୍‌ ୯ ରକେଟ୍‌ ଦ୍ୱାରା ଏହି ଉପଗ୍ରହକୁ ପଠାଯିବ। ପୂର୍ବରୁ ଭୂ-ପୃଷ୍ଠ ଜଳରାଶିକୁ ନେଇ କରାଯାଇଥିବା ଅଧ୍ୟୟନ ତୁଳନାରେ ଏସ୍‌ଡବ୍ଲ୍ୟୁଓଟି ମିଶନ ସଫଳତାର ସହ ଅଧିକ ତଥ୍ୟ ଉପଲବ୍ଧ କରାଇବ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ଜଳଚକ୍ରକୁ ବୁଝିବା, ଜଳବାୟୁ ପରିବର୍ତ୍ତନ ଦ୍ୱାରା ମହାସାଗରରେ ଦେଖାଯାଉଥିବା ପରିବର୍ତ୍ତନ ସହିତ ମରୁଡ଼ି ଓ ବନ୍ୟା ସଂକ୍ରାନ୍ତରେ ଅଧିକ ତଥ୍ୟ ଏସ୍‌ଡବ୍ଲ୍ୟୁଓଟି ତଥ୍ୟ ଯୋଗାଇବ। ଅନ୍ୟପକ୍ଷେ ଭୂ-ପୃଷ୍ଠରେ କେତେ ପରିମାଣରେ ଶୁଦ୍ଧଜଳ ଗଚ୍ଛିତ ହୋଇରହିଛି। ଭୂ-ପୃଷ୍ଠ ଜଳ ସମ୍ପର୍କିତ ଅନେକ ତଥ୍ୟ ଏହି ଉପଗ୍ରହ ଦ୍ୱାରା ହସ୍ତଗତ ହୋଇପାରିବ।

ଲସ୍‌ ଏଞ୍ଜେଲସରେ ଥିବା ନାସାର ଜେଟ୍‌ ପ୍ରୋପଲସନ୍‌ ଲାବୋରେଟୋରି ଏହି ସାଟେଲାଇଟ୍‌କୁ ନିର୍ମାଣ କରିଛି। ଦୀର୍ଘ ୨୦ ବର୍ଷ ଧରି ନାସାର ବୈଜ୍ଞାନିକମାନେ ଏସ୍‌ଡବ୍ଲ୍ୟୁଓଟି ମିଶନ୍‌ ଉପରେ କାର୍ଯ୍ୟ କରିଆସୁଛନ୍ତି। କଟିଙ୍ଗଏଜ୍‌ ମାଇକ୍ରୋଓ୍ବେଭ୍‌ ରାଡାର ଟେକ୍ନୋଲୋଜି ବ୍ୟବହାରରେ ଏହି ଉପଗ୍ରହ ତିଆରି କରାଯାଇଛି। ମହାସାଗର, ନଦୀ, ହ୍ରଦ ଏବଂ ବଡ଼ ଜଳାଶୟଗୁଡ଼ିକ କିପରି ଭାବେ ବାୟୁମଣ୍ଡଳୀୟ ତାପକୁ ଗ୍ରହଣ କରୁଛି ଏବଂ ତାହାର କାର୍ଯ୍ୟ ପ୍ରଣାଳୀ ଉପରେ ଏସ୍‌ଡବ୍ଲ୍ୟୁଓଟି ତଥ୍ୟ ଯୋଗାଇବ। ସାଟେଲାଇଟ୍‌ ଦ୍ୱାରା ପ୍ରଦତ୍ତ ତଥ୍ୟକୁ ଆଧାର କରି ଭୂ-ପୃଷ୍ଠ ଜଳକୁ କିପରି ସଂରକ୍ଷିତ ରଖାଯିବ ଓ ଜଳର ଅପଚୟମାତ୍ରାକୁ କମାଯାଇ ପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହଜ ହେବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି।

Share