ଭୁବନେଶ୍ୱର,୨୯ା୩(ସ୍ପୋଟର୍ସ ବ୍ୟୁରୋ): ପୂର୍ବତନ ଭାରତୀୟ ଖେଳାଳି ସନ୍ତୋଷ କଶ୍ୟପଙ୍କୁ ମଙ୍ଗଳବାର ଓଡ଼ିଶା ଏଫ୍ସି(ଓଏଫ୍ସି)ର ସହକାରୀ କୋଚ୍ ଭାବରେ ନିଯୁକ୍ତ କରାଯାଇଛି। ଚଳିତ ସିଜନ ପାଇଁ ମିରାଣ୍ଡା କ୍ଲିଫର୍ଡଙ୍କୁ ମୁଖ୍ୟ କୋଚ୍ ଭାବରେ ପୂର୍ବରୁ ନିଯୁକ୍ତ କରାଯାଇଥିଲା। ୫୬ ବର୍ଷୀୟ ଏହି ପୂର୍ବତନ ଭାରତୀୟ ଖେଳାଳି ଏକାଧିକ ଭାରତୀୟ କ୍ଲବର ମ୍ୟାନେଜର ଦାୟିତ୍ୱ ନିର୍ବାହ କରିଛନ୍ତି। ଆଇ ଲିଗ୍ ଓ ଆଇଏସ୍ଏଲ୍ରେ ସେ ଏକାଧିକ ଦଳର ପ୍ରଶିକ୍ଷକ ଭାବରେ କାମ କରିଛନ୍ତି। ମୋହନବାଗାନ, ମୁମ୍ବାଇ ଏଫ୍ସି ଓ ଆଇଜଲ୍ ଏଫ୍ସି ପରି ଦଳର ସେ କୋଚ୍ ରହିଛନ୍ତି। ଓଏଫ୍ସିରେ ଯୋଗଦାନକୁ ନେଇ କଶ୍ୟପ ବେଶ୍ ଉତ୍ସାହିତ ଥିବା କହିଛନ୍ତି। ଦଳର ଖେଳାଳି ଓ କୋଚ୍ ମାନଙ୍କ ସହିତ ମିଶି ହିରୋ ସୁପର୍ କପ୍ରେ ଭଲ ପ୍ରଦର୍ଶନ ପ୍ରଥମ ଲକ୍ଷ୍ୟ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ଓଏଫ୍ସିର ଭିତ୍ତିଭୂମିକୁ ମଧ୍ୟ ସେ ବେଶ ପ୍ରଶଂସା କରିଛନ୍ତି। ଏକ ଶକ୍ତିଶାଳୀ ଟିମ୍ ଗଠନ ପାଇଁ ମ୍ୟାନେଜମେଣ୍ଟ ବଦ୍ଧ ପରିକର ବୋଲି ସେ କହିଛନ୍ତି।