ଭାଙ୍ଗିଲା ସତୀଗୁଡ଼ା ମେନ୍‌ କେନାଲ

କୋରୁକୋଣ୍ଡା,୪ା୮(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ମହକୁମାସ୍ଥିତ ହାଇସ୍କୁଲଗୁଡା ନିକଟରେ ଥିବା ସତୀଗୁଡ଼ା ଡ୍ୟାମ୍‌ରୁ ଆସିଥିବା ମେନ୍‌ କେନାଲ ବୁଧବାର ଭାଙ୍ଗିଯାଇଛି। ଫଳରେ ଶତାଧିକ ଏକର ଚାଷଜମିରେ ବାଲି ମାଡ଼ି କ୍ଷତିଗ୍ରସ୍ତ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱଶୂନ୍ୟତା ରକ୍ଷଣାବେକ୍ଷଣ ଅଭାବରୁ କେନାଲରେ ଘାଇ ହୋଇ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କେନାଲ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ହୋଇଥିବା କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି । ଅନ୍ୟପକ୍ଷରେ ବନ୍ଧ ଭାଙ୍ଗି ଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିନାହାନ୍ତି।