Categories: ଖେଳ

ସନ୍ତୋଷ ଟ୍ରଫି: ଗ୍ରୁପ୍‌ ‘ଡି’ରେ ଓଡ଼ିଶା

ନୂଆଦିଲ୍ଲୀ, ୨୭।୭ (ପି.ଟି.): ଘରୋଇ ଫୁଟବଲର ମର୍ଯ୍ୟାଦାଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ୭୭ତମ ସଂସ୍କରଣ ପାଇଁ ଗ୍ରୁପିଂ ବୁଧବାର ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଓଡ଼ିଶା ଗ୍ରୁପ୍‌ ‘ଡି’ରେ ଦିଲ୍ଲୀ, ଲଦାଖ, ପଞ୍ଜାବ, ହରିୟାଣା ଓ ୩୨ଥର ଚାମ୍ପିୟନ ବେଙ୍ଗଲ ସହିତ ସ୍ଥାନ ପାଇଛିି। ଏହାକୁ ପ୍ରତିଯୋଗିତାର କଷ୍ଟସାଧ୍ୟ ଗ୍ରୁପ୍‌ ଭାବେ ବିବେଚନା କରାଯାଉଛି। ସନ୍ତୋଷ ଟ୍ରଫିରେ ଭାଗ ନେଉଥିବା ୩୬ ଦଳକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପ୍‌ର ଟପ୍ପର ଏବଂ ୪ଟି ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନୀୟ ଦଳ ଗତଥରର ଚାମ୍ପିୟନ କର୍ନାଟକ ଓ ରନରଅପ୍‌ ମେଘାଳୟକୁ ନେଇ ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ୩୨ଥର ଚାମ୍ପିୟନ ଓ ୧୪ ଥର ରନରଅପ୍‌ ବେଙ୍ଗଲ ୨୦୧୬-୧୭ ପରଠାରୁ ଟାଇଟଲ ହାସଲ କରିପାରିନାହିଁ। ୧୯୯୩ରୁ ୧୯୯୯ ମଧ୍ୟରେ ଏହି ଦଳ କ୍ରମାଗତ ୬ ଥର ଚାମ୍ପିୟନ ହୋଇଥିଲା। ଟୁର୍ନାମେଣ୍ଟ ଇତିହାସରେ ଏହା ସବୁଠାରୁ ସଫଳ ଦଳ। ୮ ଥର ଚାମ୍ପିୟନ ପଞ୍ଜାବ ଦ୍ୱିତୀୟ ସଫଳ ଦଳର ମାନ୍ୟତା ପାଉଛି। କେରଳ ୭ ଥର ଚାମ୍ପିୟନ ହୋଇଛି। ୨୦୨୨-୨୩ ସନ୍ତୋଷ ଟ୍ରଫି ଫାଇନାଲ ପ୍ରଥମଥର ବିଦେଶରେ ଅନୁଷ୍ଠିତ ହୋଇଥିଲା। ରିୟାଧରେ ଆୟୋଜିତ ଫାଇନାଲରେ ମେଘାଳୟକୁ ହରାଇ କର୍ନାଟକ ଟାଇଟଲ ହାସଲ କରିଥିଲା।
ଗ୍ରୁପ୍‌ ‘ଇ’ରେ ଓଡ଼ିଶା ମହିଳା ଦଳ
ଜାତୀୟ ମହିଳା ଫୁଟବଲ ଚାମ୍ପିୟନଶିପ୍‌ରେ ମୋଟ ୩୫ଟି ଦଳ ଅଂଶଗ୍ରହଣ କରିବେ। ଗ୍ରୁପ୍‌ ‘ଏ’ରୁ ‘ଇ’ ପର୍ଯ୍ୟନ୍ତ ୬ଟି ଲେଖାଏ ଏବଂ ଗ୍ରୁପ୍‌ ‘ଏଫ୍‌’ରେ ୫ଟି ଦଳ ସ୍ଥାନ ପାଇଛନ୍ତି। ଏହାର ଗ୍ରୁପ୍‌ ‘ଇ’ରେ ଓଡ଼ିଶା ସ୍ଥାନ ପାଇଛି। ପ୍ରତି ଗ୍ରୁପ୍‌ର ୬ ଶୀର୍ଷ ଦଳ ଏବଂ ୪ଟି ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନୀୟ ଦଳ ଗତ ସଂସ୍କରଣର ଫାଇନାଲିଷ୍ଟ ତାମିଲନାଡ଼ୁ ଓ ହରିୟାଣା ସହିତ ଫାଇନାଲ ରାଉଣ୍ଡରେ ଅବତୀର୍ଣ୍ଣ ହେବେ। ୨ଟି ଯାକ ଟୁର୍ନାମେଣ୍ଟର ତାରିଖ ଓ ଭେନ୍ୟୁ ପରେ ପ୍ରକାଶ ପାଇବ।
ସନ୍ତୋଷ ଟ୍ରଫି ଗ୍ରୁପିଂ
ଗ୍ରୁପ୍‌ ‘ଏ’: କେରଳ, ଗୋଆ, ଛତିଶଗଡ଼, ଗୁଜରାଟ, ଅରୁଣାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର।
ଗ୍ରୁପ୍‌ ‘ବି’: ପଞ୍ଜାବ, ହରିୟାଣା, ଓଡ଼ିଶା, ଦିଲ୍ଲୀ, ଲଦାଖ, ବେଙ୍ଗଲ।
ଗ୍ରୁପ୍‌ ‘ସି’: ମଣିପୁର, ଝାଡ଼ଖଣ୍ଡ, ତାମିଲନାଡ଼ୁ, ନାଗାଲାଣ୍ଡ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ।
ଗ୍ରୁପ୍‌ ‘ଡି’: ରେଲଓ୍ବେ, ବିହାର, ଚଣ୍ଡିଗଡ଼, ରାଜସ୍ଥାନ, ଆସାମ, ହିମାଚଳ ପ୍ରଦେଶ।
ଗ୍ରୁପ୍‌ ‘ଇ’: ସର୍ଭିସେସ, ଉତ୍ତରାଖଣ୍ଡ, ମିଜୋରାମ, ପଣ୍ଡିଚେରୀ, ସିକ୍ମିମ, ଦାଦ୍ରା ଆଣ୍ଡ ନଗର ହାବେଳି, ଡାମନ ଆଣ୍ଡ ଡିଉ।
ଗ୍ରୁପ୍‌ ‘ଏଫ୍‌’: ମହାରାଷ୍ଟ୍ର, ତେଲେଙ୍ଗାନା, ଆଣ୍ଡାମାନ ଆଣ୍ଡ ନିକୋବର, ଆନ୍ଧ୍ର ପ୍ରଦେଶ, ଲକ୍ଷଦୀପ, ତ୍ରିପୁରା।

 

Share