Categories: Uncategorized

ଆଇଜି ହେଲେ ଗଜଭିୟେ

ଭୁବନେଶ୍ୱର, ୯ା୨(ବ୍ୟୁରୋ):ବରିଷ୍ଠ ଆଇପିଏସ୍‌ ଅଫିସର ଗଜଭିୟେ ସତୀଶ୍‌ କୁମାର ଈଶ୍ୱରଦାସ ଇନ୍‌ସପେକ୍ଟର ଜେନେରାଲ ଅଫ୍‌ ପୋଲିସ୍‌ (ଆଇଜିପି) ର଼୍ୟାଙ୍କ୍‌କୁ ପଦୋନ୍ନତି ପାଇଛନ୍ତି। ଏହି ପଦୋନ୍ନତି ୨୦୨୦ ଜାନୁୟାରୀ ପହିଲାଠାରୁ ପିଛିଲା ଭାବେ ଲାଗୁ ହେବ। ତେବେ ସେ କେଉଁ ସ୍ଥାନରେ ନିଯୁକ୍ତି ପାଇବେ, ତାହା ରାଜ୍ୟ ଗୃହ ବିଭାଗ ନିଷ୍ପତ୍ତି ନେବ।
ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୦୨ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଗଜଭିୟେ ବର୍ତ୍ତମାନ ଭୁବନେଶ୍ୱରରେ ଥିବା ଅର୍ବାନ୍‌ ପୋଲିସ୍‌ ଆଣ୍ଡ୍‌ ଟ୍ରାଫିକ୍‌ ଟେନିଂ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରୁଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ୨୦୨୧ ଡିସେମ୍ବରରେ ତାଙ୍କ ବିରୋଧରେ ଥିବା ସମସ୍ତ ଶୃଙ୍ଖଳାଗତ ମାମଲାକୁ ରାଜ୍ୟ ସରକାର ଖାରଜ କରିବା ପରେ ତାଙ୍କୁ ପିଛିଲା ଭାବେ ଡିଆଇଜି ଓ ଆଇଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଗଜଭିୟେ ୨୦୧୬ ଫେବୃୟାରୀ ୨୩ରୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇବେ। ସେହିପରି ୨୦୨୦ ଜାନୁୟାରୀ ୧ରୁ ସେ ଆଇଜି ପାହ୍ୟାର ସମସ୍ତ ସୁବିଧାସୁଯୋଗ ପାଇବେ। ଉଲ୍ଲେଖଯୋଗ୍ୟ, ଗଜଭିୟେ କେନ୍ଦ୍ରାପଡ଼ା ଏସ୍‌ପି ଥିବା ସମୟରେ ସାରଥି ବାବା ମାମଲାରେ ବିବାଦୀୟ ହୋଇପଡ଼ିଥିଲେ। ତେବେ ସେ ମାଲକାନଗିରି ଏସ୍‌ପି ଥିବାବେଳେ ମାଓବାଦୀ ନେତାଙ୍କୁ ଗିରଫ କରି ପ୍ରଶଂସିତ ହୋଇଥିଲେ।