ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମାର୍ଚ୍ଚ ୯ରେ ପରଲୋକ ଘଟିଛି। ସ୍ବର୍ଗତ ଅଭିନେତାଙ୍କ ପୁତୁରା ନିଶାନ୍ତ ତାଙ୍କର ସମସ୍ତ ଶେଷ ରୀତିନୀତି କରିଥିଲେ। ଇତି ମଧ୍ୟରେ ନିଶାନ୍ତ ସତୀଶ କୌଶିକଙ୍କ ଶେଷ ଇଚ୍ଛା କ’ଣ ଥିଲା,ତାହା ସେ ଖୁଲାସା କରିଛନ୍ତି। ଏଥିସହିତ ନିଶାନ୍ତ ସତୀଶଙ୍କ ଶେଷ ଇଚ୍ଛା ମଧ୍ୟ ପୂରଣ କରିବେ ବୋଲି କହିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ସତୀଶ କୌଶିକଙ୍କ ପୁତୁରା ନିଶାନ୍ତ କୌଶିକ ତାଙ୍କର ଶେଷ ଇଚ୍ଛା ପ୍ରକାଶ କରିଛନ୍ତି। ନିଶାନ୍ତ କହିଛନ୍ତି, ସତୀଶଙ୍କ ସ୍ବପ୍ନ ଏକ ବହୁତ ବଡ ଷ୍ଟୁଡିଓ ଥିଲା। ବର୍ତ୍ତମାନ ସେ ବୋନି କପୁର ଏବଂ ଅନୁପମ ଖେରଙ୍କ ସାହାଯ୍ୟରେ ତାଙ୍କ ଶେଷ ଇଚ୍ଛା ପୂରଣ କରିବେ। ଏହି ଦୁଇଜଣ ତାଙ୍କ ପରିବାର ପରି। ନିଶାନ୍ତ ଏହା ମଧ୍ୟ କହିଛନ୍ତି ଯେ, ସତୀଶ ୨୦୨୧ରେ ଫିଲ୍ମ ‘କାଗଜ’ର ସିକ୍ୱେଲ ତିଆରି କରୁଥିଲେ। ଚଳଚ୍ଚିତ୍ରର ସମ୍ପାଦନା କାର୍ଯ୍ୟ ଚାଲିଥିଲା। ବର୍ତ୍ତମାନ ଯେତେବେଳେ ସତୀଶ ଏହି ଦୁନିଆରେ ନାହାଁନ୍ତି, ନିଶାନ୍ତ ମଧ୍ୟ ଏହି କାର୍ଯ୍ୟ ସମାପ୍ତ କରିବେ।