Categories: ଖେଳ

ସନ୍ତୋଷ ମେମୋରିଆଲ କ୍ରିକେଟ ଉଦ୍‌ଘାଟିତ

ଭୁବନେଶ୍ୱର, ୨୫।୧୨(ତପନ ସ୍ବାଇଁ): ରସୁଲଗଡ଼ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ୨୪ତମ ସନ୍ତୋଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ସ୍ଥାନୀୟ ଗଡ଼ ଗୋପୀନାଥ ପ୍ରସାଦ (ଜିଜିପି) ସ୍କୁଲ ପଡ଼ିଆରେ ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁରେଶ କୁମାର ରାଉତରାୟ, ଗୀତାଞ୍ଜଳି ଆଓ୍ବାଡର୍‌ସର ପରିଚାଳନା ନିର୍ଦ୍ଦେଶକ ବୁଦ୍ଧ ପ୍ରକାଶ ମହାପାତ୍ର, ସାମାଜିକ କର୍ମୀ ପ୍ରଦୀପ ବରିସଲ ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ମ୍ୟାଚରେ କଟକର ସନ୍‌ ଏକାଦଶ ୬ ଉଇକେଟରେ ବିନ୍‌ଦାଶ ଏକାଦଶକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ବିନ୍‌ଦାଶ ଏକାଦଶ ୧୨ ଓଭରରେ ୭ ଉଇକେଟ ହରାଇ ୧୪୭ ରନ କରିଥିଲା। ଦଳ ପକ୍ଷରୁ ଜିତୁ ସାହୁ ସର୍ବାଧିକ ୩୧ ରନ କରିଥିଲେ। ବିପକ୍ଷ ଦଳର ସୂର୍ଯ୍ୟକାନ୍ତ ୨୭ ରନ ବିନିମୟରେ ୩ ଉଇକେଟ ହାସଲ କରିଥିଲେ। ଜବାବରେ ସନ୍‌ ଏକାଦଶ ୧୨ ଓଭରରେ ୪ ଉଇକେଟ ହରାଇ ୧୫୧ ରନ ସଂଗ୍ରହ କରି ନେଇଥିଲା। ବ୍ରାଉନ୍‌ ଯାଦବ ୧୪ ବଲ୍‌ରୁ ୩୧ ରନକରି ଦଳକୁ ବିଜୟୀ କରିଥିଲେ। ବିନଦାଶ ଦଳର ତରୁଣ ପଟ୍ଟନାୟକ ୨ଟି ଉଇକେଟ ନେଇଥିଲେ। ବିଜୟୀ ଦଳର ବ୍ରାଉନ୍‌ ଯାଦବ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଅମ୍ପାୟର ଅଜିତ ନାୟକ ଓ ଶୁଭ୍ର ପଟ୍ଟନାୟକ ମ୍ୟାଚ ପରିଚାଳନା କରିଥିଲେ। ମ୍ୟାଚ୍‌ ରେଫରି ଦାୟିତ୍ୱ ନିର୍ବାହ କରିଥିଲେ ସୁଧାଂଶୁ ଖୁଣ୍ଟିଆ।

Share