Categories: ଜାତୀୟ

ସତପୁରା ଭବନ ଅଗ୍ନିକାଣ୍ଡ: ଏକ ବଡ ଦୁର୍ନୀତି ମାମଲା, ଅନୁସନ୍ଧାନ କରାଯିବାକୁ କହିଲେ କମଲ ନାଥ…

ଭୋପାଳ,୧୩।୬ : ମଧ୍ୟପ୍ରଦେଶର ଭୋପାଳରେ ଅବସ୍ଥିତ ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟାଳୟ ଥିବା ସତପୁରା ବିଲ୍ଡିଂରେ ନିଆଁ ଲାଗିବା ସହିତ ରାଜ୍ୟର ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଇଛି। ପ୍ରାୟ ୧୪ ଘଣ୍ଟା ପରିଶ୍ରମ ପରେ ସେନା, ସିଏସଏଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ପ୍ରଶ୍ନ କରିଛନ୍ତି ନିଆଁ ଲାଗିଛି ନା ଲଗାଯାଇଛି ଏହାର ତଦନ୍ତ ଜରୁରୀ। ଏହା ଦୁର୍ନୀତିର ଏକ ବଡ ମାମଲା । ଏକ ନିରପେକ୍ଷ ଏଜେନ୍ସି ଦ୍ୱାରା ଏହାର ଅନୁସନ୍ଧାନ କରାଯିବା ଆବଶ୍ୟକ।

ମଙ୍ଗଳବାର କମଲ ନାଥ କହିଛନ୍ତି, ’ଏହା ଦୁର୍ନୀତିର ଆଉ ଏକ ଉଦାହରଣ। ପ୍ରଶ୍ନ ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ଏହା କୁହାଯାଉଛି ୧୨ ହଜାର ଫାଇଲ ପୋଡି ଯାଇଛି। ତେବେ ପ୍ରକୃତରେ କେତେ ଫାଇଲ ପୋଡି ଯାଇଛି? ଏହି ଘଟଣାର ଲକ୍ଷ୍ୟ, ଉଦ୍ଦେଶ୍ୟ କ’ଣ ଥିଲା?

ଅଗ୍ନିକାଣ୍ଡର ତଦନ୍ତ ପାଇଁ ଗଠିତ କମିଟି ମଙ୍ଗଳବାର ଅପରାହ୍ନ ୧ ଟାଠାରୁ କାର୍ଯ୍ୟ ଆରମ୍ଭ କରିଛି।

ସେହିଭଳି ଭୋପାଳ କଲେକ୍ଟର ଆଶିଷ ସିଂ କହିଛନ୍ତି ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଛି। ଆମର ପ୍ରାଥମିକତା ଥିଲା ମାନବ ଜୀବନର କୌଣସି କ୍ଷତି ନ ହେବା ଏବଂ ନିଆଁ ଆଖପାଖ ଅଞ୍ଚଳରେ ଯେପରି ନ ବ୍ୟାପୁ। ଆମେ ଏଥିରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲୁ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପରିସ୍ଥିତି ଉପରେ ନଜର ରଖିଛନ୍ତି।

Share