୨୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଶତ୍ରୁଘ୍ନ ସିହ୍ନା, ଝିଅ ସୋନାକ୍ଷୀଙ୍କୁ ଏଥିରୁ ଟଙ୍କାଟିଏ ଦେବାକୁ କଲେ ମନା, କାରଣ…

ମୁମ୍ବାଇ: ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ପରିବାର ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଜାହିର ଇକ୍‌ବାଲଙ୍କ ସହ ଝିଅ ସୋନାକ୍ଷୀ ସିହ୍ନାଙ୍କ ବିବାହ ଏବଂ ଭାଇ ଲବଙ୍କ ଏହି ବିବାହରେ ଯୋଗ ନ ଦେବା ଖବର ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିବାହକୁ ନେଇ ତାଙ୍କ ହୃଦୟ ଭାଙ୍ଗି ଯାଇଛି ବୋଲି ଆଲୋଚନା ହେଉଛି। ଶତ୍ରୁଘ୍ନ ନିଜେ ଏକଥା ସ୍ବୀକାର କରିଛନ୍ତି। କିନ୍ତୁ ଶତ୍ରୁଘ୍ନ ଏବଂ ତାଙ୍କ ସ୍ତ୍ରୀ ପୁନମ୍‌ ନିଜ ଝିଅର ସୁଖ ପାଇଁ ଏହି ବିବାହରେ ରାଜି ହୋଇଥିଲେ। ଶତ୍ରୁଘ୍ନ ୨୧୦ କୋଟି ଟଙ୍କା ସମ୍ପତ୍ତି ଅଛି, କିନ୍ତୁ ସେ ତାଙ୍କ ସମ୍ପତ୍ତିରୁ ତାଙ୍କ ଝିଅକୁ କିଛି ଦେବାକୁ ଚାହୁଁନାହାନ୍ତି। ଆମେ ଏକଥା କହୁ ନାହୁଁ, ଏକ ସାକ୍ଷାତକାରରେ ଶତ୍ରୁଘ୍ନ ନିଜେ ଏହି ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ କରିଥିଲେ।

ଶତ୍ରୁଘ୍ନ କେବଳ ଜଣେ ପ୍ରସିଦ୍ଧ ଅଭିନେତା ନୁହନ୍ତି ବରଂ ଜଣେ ରାଜନେତା ମଧ୍ୟ ଅଟନ୍ତି। ‘କାଳୀଚରଣ’ର ପ୍ରଭାକରଙ୍କ ପାଖରେ କେବଳ ବିହାର ଏବଂ ମୁମ୍ବାଇ ନୁହେଁ ମେହେରାଲି, ଡେରାଡୁନ ଏବଂ ଦିଲ୍ଲୀରେ ମଧ୍ୟ କୋଟି କୋଟି ମୂଲ୍ୟର ସମ୍ପତ୍ତି ରହିଛି। ଏହି ୭୭ ବର୍ଷୀୟ ଅଭିନେତା ୨୧୦ କୋଟି ଟଙ୍କାର ମାଲିକ, ତାଙ୍କ ସମ୍ପତ୍ତିରୁ ଏକ ଟଙ୍କା ମଧ୍ୟ ତାଙ୍କ ଝିଅକୁ ଦେବାକୁ ଚାହାନ୍ତି ନାହିଁ। ଏହା ନିଜେ ଅଭିନେତା ପ୍ରକାଶ କରିଛନ୍ତି।

କ୍ରମାଗତ ଦ୍ୱିତୀୟ ଥର ପାଇଁ ପଶ୍ଚିମବଙ୍ଗର ଆସନସୋଲରୁ ୨୦୨୪ ଲୋକ ସଭା ନିର୍ବାଚନରେ ଶତ୍ରୁଘ୍ନ ଜିତିଛନ୍ତି। ପାଟନା, ମୁମ୍ବାଇ, ମେହେରାଲି, ଡେରାଡୁନ ଏବଂ ଦିଲ୍ଲୀରେ ଅବସ୍ଥିତ ୫ଟି ବଡ ଘରର ମାଲିକ ଶତ୍ରୁଘ୍ନ। ମୁମ୍ବାଇରେ ଥିବା ତାଙ୍କ ଘର ‘ରାମାୟଣ’ର ମୂଲ୍ୟ ୮୮କୋଟି ଟଙ୍କା। ଏତେ ଧନ ଥାଇ ମଧ୍ୟ ସେ ନିଜ ଝିଅ ନାମରେ କିଛି କରିବାକୁ ଯାଉନାହାନ୍ତି। ଏହା ପଛର କାରଣ ହେଉଛି କିଛି ବର୍ଷ ପୂର୍ବେ ନିର୍ବାଚନ ସମୟରେ ସେ ନିଜର ସମ୍ପତ୍ତି ଘୋଷଣା କରିଥିଲେ।

ବାସ୍ତବରେ ଏକ ସାକ୍ଷାତକାର ସମୟରେ ଶତ୍ରୁଘ୍ନ ତାଙ୍କ ସମ୍ପତ୍ତିରେ ତାଙ୍କ ଝିଅ ଏବଂ ପୁଅମାନେ କେତେ ଅଂଶ ପାଇବେ ବୋଲି ପଚରାଯାଇଥିଲା। ତା’ପରେ ସେ କହିଥିଲେ, ‘ମୁଁ ମୋ’ ଝିଅକୁ କିଛି ଦେବି ନାହିଁ। ମୋ ଝିଅ ବର୍ତ୍ତମାନ ଆତ୍ମର୍ନିଭରଶୀଳ ଏବଂ ଭଲ ରୋଜଗାର କରୁଛି। ସେ କାହା ଉପରେ ନିର୍ଭରଶୀଳ ହେବାକୁ ଆବଶ୍ୟକ କରେ ନାହିଁ ଏବଂ ମୁଁ ଏଥିପାଇଁ ଗର୍ବିତ। ମୋ ଝିଅ ସ୍ପଷ୍ଟ କହିଛି ଯେ, ସେ ମୋ’ ଠାରୁ କିଛି ନେବ ନାହିଁ ଏବଂ ମୁଁ ତା’ର ବିଶ୍ୱାସ ପାଇଁ ଗର୍ବିତ। ଆଜି ପର୍ଯ୍ୟନ୍ତ ସେ ଯାହା ହାସଲ କରିଛି, ସେ ନିଜେ କରିଛି ଏବଂ ମୁଁ ପ୍ରାର୍ଥନା କରୁଛି ଯେ, ସେ ସର୍ବଦା ଖୁସିରେ ରହୁ।

Share