ସମସ୍ୟା ବଢ଼ାଏ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌

ବ୍ୟସ୍ତବହୁଳ ଜୀବନ ଏବଂ ଅନିୟମିତ ଖାଦ୍ୟଶୈଳୀ ଯୋଗୁ କେତେକଙ୍କଠାରେ ହାର୍ଟ(ହୃତ୍‌ପିଣ୍ଡ) ସମସ୍ୟା ଦେଖାଦେଉଛି। ପୁଣି କୋଲେଷ୍ଟ୍ରରଲ ବୃଦ୍ଧି ଏହି ସମସ୍ୟାକୁ ବଢାଇ ଦେଉଛି। ଶରୀରରେ କୋଲେଷ୍ଟରଲ ବୃଦ୍ଧି ପାଇଁ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଏକ ପ୍ରମୁଖ କାରଣ। ନିତିଦିନିଆ ଜୀବନରେ ଗ୍ରହଣ କରୁଥିବା ବହୁ ଖାଦ୍ୟରେ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ରହିଥାଏ। ସେଥିରୁ କେତେକ ପ୍ରାଣୀଜ ଖାଦ୍ୟରୁ ଆସିଥାଏ। ମାଂସ, ତେଲ, କ୍ରିମ୍‌, ବଟର, ଛେନା ଆଦିରେ ଥାଏ ଅଧିକ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌।

ତେଲରେ ଭଜା ଖାଦ୍ୟରେ ବି ଏହି ଫ୍ୟାଟ୍‌ ଅଧିକ ଥାଏ। ସେହିପରି କେତେକ ଉଦ୍ଭିଦ ଜାତ ଯେପରିକି ପାମ୍‌ ତେଲ, ପାମ୍‌ କର୍ଣ୍ଣଲ ତେଲ ଏବଂ ନଡିଆ ତେଲ ଆଦିରେ ମୁଖ୍ୟତଃ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଥାଏ। କିନ୍ତୁ ଏଥିରେ କୋଲେଷ୍ଟ୍ରରଲ ନ ଥାଏ। ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ‘ଖରାପ’ କୋଲେଷ୍ଟ୍ରରଲ ଅର୍ଥାତ୍‌ କମ୍‌-ସାନ୍ଧ୍ରତାଯୁକ୍ତ ଲିପୋପ୍ରୋଟିନ (ଏଲଡିଏଲ୍‌) ବୃଦ୍ଧି କରିଥାଏ। ଏହା ହୃତ୍‌ପିଣ୍ଡର କରୋନାରୀ ଧମନୀକୁ ଅବରୋଧ କରିବାର ଆଶଙ୍କା ରହିଥାଏ। ଧମନୀ ଅବରୋଧ ଦ୍ୱାରା ହୃଦ୍‌ଘାତ ସହିତ ହୃତ୍‌ପିଣ୍ଡ ଅକାମୀ ବା କାମ କରିବା ବନ୍ଦ କରି ଦେବା ଭଳି ସମସ୍ୟା ସୃଷ୍ଟିର ଆଶଙ୍କା ଥାଏ।

ତେଣୁ ଅନ୍‌ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଥିବା ସନ୍ତୁଳିତ ଖାଦ୍ୟ ହୃତ୍‌ପିଣ୍ଡ ପାଇଁ ଭଲ। ସେଥିରେ ମନୋ ଅନ୍‌ସାଚ୍ୟୁରେଟେଡ ଫ୍ୟାଟ୍‌ ଏବଂ ପଲି ଅନସାଚ୍ୟୁରେଟେଡ ଫ୍ୟାଟ୍‌ ଆଦି ରହିଥାଏ। ଅଲିଭ ତେଲ, ବାଦାମ, ସମୁଦ୍ରଜାତ ମାଛ ତେଲ, ସୋୟାବିନ ତେଲ ଏବଂ ଅନ୍ୟାନ୍ୟ ଖାଦ୍ୟରେ ମନୋ ଅନ୍‌ସାଚ୍ୟୁରେଟେଡ ଫ୍ୟାଟ୍‌ ଅଧିକ ପରିମାଣରେ ରହିଥାଏ।

ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ରେଡ୍‌ ମିଟ୍‌କୁ ଏଡାଇବା ଜରୁରୀ। ପୁଣି ଘିଅ ଏବଂ ଶରୀରରେ ‘ଖରାପ’ କୋଲେଷ୍ଟ୍ରରଲ ସ୍ତରକୁ ବଢ଼ାଉଥିବା ଖାଦ୍ୟ ନ ଖାଇବା ଭଲ। ଟ୍ରାନ୍ସ ଫ୍ୟାଟଯୁକ୍ତ ଜଙ୍କ୍‌ ଫୁଡ୍‌, ତେଲରେ ଅଧିକ ଭଜା ହୋଇଥିବା ଖାଦ୍ୟ ଏବଂ ପ୍ୟାକେଜିଂ ଖାଦ୍ୟକୁ ମଧ୍ୟ ବର୍ଜନ କରିବା ଜରୁରୀ। ଟ୍ରାନ୍ସ ଫ୍ୟାଟ ‘ଖରାପ’ କୋଲେଷ୍ଟ୍ରରଲ ସ୍ତରକୁ ବଢ଼ାଇଥାଏ।

ବ୍ୟକ୍ତିଗତ କିମ୍ବା ପାରିବାରିକ ହୃଦ୍‌ରୋଗର ଇତିହାସ ଥିବା ଲୋକେ ସୁସ୍ଥ ଖାଦ୍ୟଶୈଳୀ ଆପଣେଇବା ଆବଶ୍ୟକ। ଖାଦ୍ୟରେ ଡ୍ରାଏ ଫ୍ରୁଟ୍‌ସ, ଅଲିଭ ତେଲ ଏବଂ ଅନ୍‌ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଯୁକ୍ତ ଡାଏଟ୍‌ ଅନ୍ତର୍ଭୁକ୍ତ ସହିତ ସଚେତନତାର ଆବଶ୍ୟକତା ରହିଛି।

 

-ଡା. ଦିବ୍ୟ ରଞ୍ଜନ ବେହେରା, ହୃଦ୍‌ରୋଗ ବିଶେଷଜ୍ଞ, ଭୁବନେଶ୍ୱର