ଶନିବାର ଆଂଶିକ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେତେବେଳେ ପାକନିଷେଧ, ପୂଜାର୍ଚ୍ଚନା

ଭୁବନେଶ୍ୱର,୨୭ା୧୦(ବନ୍ଦନା ସେଠୀ):ଆସନ୍ତା ୨୮ ତାରିଖ ଶନିବାର ବିଳମ୍ବିତ ରାତିରେ ଆଂଶିକ ଚନ୍ଦ୍ର ଗ୍ରହଣ ହେବ। ରାତି ୧ଟା ୫ରୁ ଗ୍ରହଣ ଆରମ୍ଭ ହୋଇ ପ୍ରାୟ ୨ଟା ୨୨ରେ ଛାଡ଼ିବ ଅର୍ଥାତ୍‌ ୧ଘଣ୍ଟା ୧୯ ମିନିଟ୍‌ ଗ୍ରହଣ ରହିବ। ଏହି ସମୟରେ ଚନ୍ଦ୍ର ଉପରେ ମାତ୍ର ୬ ପ୍ରତିଶତ ଛାୟା ପଡିବ। ତେବେ ରାତି ୧୧ଟା ୩୧ରେ ଚନ୍ଦ୍ର ଉପରେ ଉପଛାୟା ପଡ଼ିବା ଆରମ୍ଭ ହେବ। ଏହା ଖାଲି ଆଖିକୁ ଦେଖାଯିବ ନାହିଁ। ରାତି ୧ଟା ୫ ବେଳକୁ ଛାୟା ଦୃଶ୍ୟମାନ ହେବ। ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଅଷ୍ଟ୍ରେଲିଆ, ଏସିଆ, ୟୁରୋପ, ଆଫ୍ରିକା, ଆଟ୍‌ଲାଣ୍ଟିକ୍‌ ମହାସାଗର ସମେତ ସମଗ୍ର ବିଶ୍ୱରେ ଖାଲି ଆଖିରେ ଦେଖାଯିବ। ଅକ୍ଟୋବର ୧୪ରେ ଘଟିଥିବା ସୂର୍ଯ୍ୟୋପରାଗର ୧୪ ଦିନ ପରେ ଏହି ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଯିବ। ଅପରପକ୍ଷେ ଶନିବାର କୁମାରପୂର୍ଣ୍ଣିମା ରହୁଥିବାରୁ ଗ୍ରହଣର ପ୍ରଭାବ ଚନ୍ଦ୍ରପୂଜା ଉପରେ ପଡିବ। ଜ୍ୟୋତିର୍ବିଦ୍ୟା ବିଶାରଦ ପ୍ରସନ୍ନ କୁମାର ମହାପାତ୍ରଙ୍କ ମତାନୁଯାୟୀ, ଗ୍ରହଣର ପ୍ରାୟ ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅପରାହ୍ନ ୪ଟାରୁ ପାକନିଷେଧ ଓ ଦେବାର୍ଚ୍ଚନା ବନ୍ଦ ରହିବ। ତେବେ ଚନ୍ଦ୍ରପୂଜା କରିବାକୁ ଚାହୁଁଥିବା କୁମାରୀମାନେ ଚନ୍ଦ୍ର ଉଦୟ ସମୟରେ ପୂଜା କରିପାରିବେ। ସେହିପରି ରାତି ୨ଟା ୩୦ ପରେ ଗଜଲକ୍ଷ୍ମୀ ପୂଜା କରାଯାଇପାରିବ। ରବିବାରକୁ ଗ୍ରହଣର କୌଣସି ପ୍ରଭାବ ରହିବ ନାହିଁ। ସେହିପରି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ପୂର୍ବତନ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଚନ୍ଦ୍ର ଉପରେ କେବଳ ଗୋଟିଏ ଛାଇ ପଡିବ। ଏଥିରେ ଚନ୍ଦ୍ରପୂଜା କରିବାରେ କୌଣସି ଅସୁବିଧା ନାହିଁ। ଅପରପକ୍ଷେ ଆସନ୍ତା ବର୍ଷ ୨୦୨୪ରେ ୨ଟି ଚନ୍ଦ୍ରଗ୍ରହଣ ଏବଂ ୨ଟି ସୂର୍ଯ୍ୟୋପରାଗ ହେବାର ଅଛି। ଏହାର ପ୍ରଭାବ ଭାରତ ଉପରେ ରହିବ ନାହିଁ ବୋଲି ପଟ୍ଟନାୟକ ସୂଚନା ଦେଇଛନ୍ତି।

Share