ଆଜି ପୃଥିବୀର ନିକଟତର ହେବ ଶନି

ଭୁବନେଶ୍ୱର,୨।୮(ବ୍ୟୁରୋ): ଏବେ ଶନି ଗ୍ରହ ପୃଥିବୀର ଅତି ନିକତର ହେଉଥିବାରୁ ବୃହସ୍ପତି ପରି ଉଜ୍ଜ୍ୱଳ ଦେଖାଯାଉଛି। ସୋମବାର ପୂର୍ବାହ୍ନ ୧୧ଟା ୩୦ରେ ଉଭୟ ଆହୁରି ନିକଟତର ହେବେ ବୋଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ସୂର୍ଯ୍ୟ ଚାରିପଟେ ଶନି ଓ ପୃଥିବୀ ନିଜ କକ୍ଷ ପଥରେ ଘୂରିବାବେଳେ ଅନେକ ସମୟରେ ନିକଟତର ହୋଇଥାନ୍ତି। ପୃଥିବୀଠାରୁ ଶନିର ଦୂରତା କ୍ରମାଗତ ଭାବରେ ବଦଳିଥାଏ। ପ୍ରତି ଏକବର୍ଷ ୧୩ ଦିନରେ ଶନି ଓ ପୃଥିବୀ ନିକଟତର ହୋଇଥାନ୍ତି ଏବଂ ସୂର୍ଯ୍ୟର ଗୋଟିଏ ପଟରେ ହିଁ ରୁହନ୍ତି। ପୃଥିବୀ ଶନି ଓ ସୂର୍ଯ୍ୟର ମଝିରେ ରହିଥାଏ। ସେ ସମୟରେ ପୃଥିବୀ ଓ ଶନିର ହାରାହାରି ଦୂରତା ୧୨୦ କୋଟି କି.ମି.ରହିବ, ଯାହା ସୂର୍ଯ୍ୟଠାରୁ ପୃଥିବୀ ଦୂରତାର ପ୍ରାୟ ୮ ଗୁଣ ଅଧିକ ଥାଏ। ଚଳିତବର୍ଷ ଏହା ଅଗଷ୍ଟ ୨ ଭାରତୀୟ ସମୟ ଦିନ ୧୧ଟା ୩୦ରେ ଘଟିବ। ଅନ୍ୟପକ୍ଷରେ ଆଉ ୬ ମାସ ପରେ ପୃଥିବୀ ସୂର୍ଯ୍ୟର ପଛପାଖକୁ ଚାଲିଗଲେ ପୃଥିବୀ ଓ ଶନିର ସର୍ବାଧିକ ଦୂରତା ୧୭୦ କୋଟି କି.ମି. ହୋଇଯିବ, ଯାହା ସୂର୍ଯ୍ୟଠାରୁ ପୃଥିବୀ ଦୂରତାର ପ୍ରାୟ ୧୧ ଗୁଣ ଅଧିକ ରହିବ। ଗତବର୍ଷ ଜୁଲାଇ ୨୦ରେ ଶନି ପୃଥିବୀର ନିକଟତର ହୋଇଥିଲା ଓ ଆଗାମୀ ୨୦୨୨ ଅଗଷ୍ଟ ୧୪ରେ ଏପରି ଘଟିବ ବୋଲି ଶୁଭେନ୍ଦୁ ସୂଚନା ଦେଇଛନ୍ତି। ସୋମବାର ସୂର୍ଯ୍ୟ ଅସ୍ତ ହେବା ସହ ଶନି ପୂର୍ବ ଦିଗ୍‌ବଳୟରେ ଉଦୟ ହୋଇ ଧୀରେ ଧୀରେ ପଶ୍ଚିମ ଦିଗକୁ ଗତିକରି ୧୨ଘଣ୍ଟା ପରେ ଅର୍ଥାତ୍‌ ଭୋର ସମୟରେ ଅସ୍ତ ହେବ। ମେଘମୁକ୍ତ ପରିଷ୍କାର ଆକାଶରେ ଅଗଷ୍ଟ ମାସ ପ୍ରତି ରାତିରେ ସନ୍ଧ୍ୟାଠାରୁ ସକାଳ ଯାଏ ଶନି ସହ ବୃହସ୍ପତି ଖାଲି ଆଖିରେ ଦେଖାଯିବ। ଶନି ପୃଥିବୀର ଅତି ନିକଟତର ହୋଇଥିବାରୁ ଖାଲି ଆଖିରେ ସାଧାରଣ ଦିନ ତୁଳନାରେ ଅଧିକ ଉଜ୍ଜ୍ୱଳ ଦେଖାଯିବା ସହ ଏହାର ବଳୟ ଏବଂ ଉପଗ୍ରହ ସାଧାରଣ ଦୂରବୀକ୍ଷଣ ଦ୍ୱାରା ସୁନ୍ଦର ଦେଖାଯାଉଥିବା ସେ କହିଛନ୍ତି।

Share