ଶନିର ଚନ୍ଦ୍ର ଦେଖିବାକୁ ମୋମୋ ପରି, ଫଟୋ ଶେୟାର କଲା ନାସା

ଓ୍ବାଶିଂଟନ୍‌,୨୬।୯: ଆମେରିକାର ସ୍ପେସ ଏଜେନ୍ସି ନ୍ୟାଶନାଲ ଏରୋନେଟିକ୍ସ ଏବଂ ସ୍ପେସ ଆଡମିନିଷ୍ଟ୍ରେସନ (ନାସା) ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ନୂଆ ଫଟୋ ଶେୟାର କରିଛି। ନାସା ମହାକାଶର ନୂଆ ନୂଆ ତଥ୍ୟ ସମ୍ବନ୍ଧରେ ମହାକାଶପ୍ରେମୀମାନଙ୍କୁ ସୂଚନା ଦେଇଥାଏ। ନିକଟରେ ପୋଷ୍ଟ କରାଯାଇଥିବା ଏକ ଫଟୋରେ ନାସା କ୍ୟାପସନରେ ଲେଖିଛି, ମୋମୋ, ପୋକୋଡା,ପାସ୍ତା ଏସବୁ ଭିତରୁ ଆପଣ ଏହି ଫଟୋରେ କଣ ଦେଖୁଛନ୍ତି।

ନାସା ଜାରି କରିଥିବା ଫଟୋ ହେଉଛି ଶନିର ଚନ୍ଦ୍ର। ଯାହାର ନାମ ପାନ। କ୍ୟାସିନି ମହାକାଶଯାନ ଦ୍ୱାରା ଏହାର ଫଟୋ ନିଆଯାଇଛି। ନାସା କହିଛି ଯେ ଉଭୟ ଚିତ୍ର ବିଭିନ୍ନ ଦିଗରୁ ନିଆଯାଇଛି। ବାମ ପାର୍ଶ୍ୱରେ ଥିବା ଫଟୋରେ ପାନର ଉପରୁ ନିଆଯାଇଥିବାବେଳେ ଡାହାଣ ପାର୍ଶ୍ୱରେ ଥିବା ଫଟୋ ତଳୁ ନିଆଯାଇଛି।

ନାସାର ରିପୋର୍ଟ ଅନୁଯାୟୀ, ଶନିର ବହୁତଗୁଡିଏ ଛୋଟ ଚନ୍ଦ୍ର ଭିତରୁ ପାନ ଅନ୍ୟତମ। ଶନିର ବଳୟରେ ରହି ଏହା ପରିକ୍ରମା କରିଥାଏ। ଏହା ୮୩ହଜାର ମାଇଲ ଉଚ୍ଚତାରେ ରହି ପ୍ରତି ୧୩.୮ଘଣ୍ଟାରେ କକ୍ଷପଥକୁ ଥରଟିଏ ପରକ୍ରମା ଶେଷ କରିଥାଏ। ଏହା ୧୯୯୦ରେ ବୈଜ୍ଞାନିକ ଏମ. ଶୋଲେଟରଙ୍କ ଦ୍ୱାରା ପ୍ରଥମେ ଆବିଷ୍କୃତ ହୋଇଥିଲା।

Share