Categories: ଖେଳ

ଇତିହାସ ରଚିଲେ ସାତ୍ତ୍ୱିକ-ଚିରାଗ ଯୋଡି

ଟୋକିଓ,୨୬।୮: ଜାପାନର ରାଜଧାନୀ ଟୋକିଓରେ ଭାରତର ସାତ୍ତ୍ୱିକ୍‌ ସାଇରାଜ ରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ଏହି ଭାରତୀୟ ଯୋଡି ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ପଦକ ନିଶ୍ଚିତ କରିଛନ୍ତି। ପୁରୁଷ ଡବଲ୍ସରେ ପଦକ ହାସଲ କରିବାରେ ସେମାନେ ହେଉଛନ୍ତି ପ୍ରଥମ ଭାରତୀୟ ଯୋଡି। କ୍ୱାର୍ଟର ଫାଇନାଲରେ ବିଶ୍ୱର ସପ୍ତମ ସ୍ଥାନରେ ଥିବା ସାତ୍ତ୍ୱିକ-ଚିରାଗ ବିଶ୍ୱର ୨ ନମ୍ବର ଯୋଡି ଜାପାନର ଟାକୁରୋ ହୋକି ଏବଂ ୟୁଗୋ କୋବାୟାଶିଙ୍କୁ ପରାସ୍ତ କରି ଏକ ବଡ଼ ଓଲଟପାଲଟ କରିଥିଲେ। ଭାରତୀୟ ଯୋଡି ଜାପାନିଜ ଯୋଡିକୁ ୨୪-୨୨, ୧୫-୨୧, ୨୧-୧୪ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ଚଳିତ ମାସ ଆରମ୍ଭରେ ଦେଶ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଏହି ଯୋଡି ବିଶ୍ୱ ଚାମ୍ପିୟନଶିପ୍‌ରେ ମଧ୍ୟ ଚମତ୍କାର ଫର୍ମ ଜାରି ରଖିଛନ୍ତି। ପୂର୍ବରୁ ଏହି ଟୁର୍ନାମେଣ୍ଟରେ ପୁରୁଷ ଡବଲ୍ସରେ ଭାରତ ପଦକ ଜିତିନାହିଁ। ତେବେ ମହିଳା ଡବଲ୍ସରେ ଜ୍ୱାଲା ଗୁଟା ଏବଂ ଅଶ୍ୱିନୀ ପୋନ୍ନାପ୍ପାଙ୍କ ଯୋଡି ୨୦୧୧ରେ ଦେଶ ପାଇଁ ପଦକ ଆଣିଥିଲେ।

Share