Categories: ଜାତୀୟ

ମନ କି ବାତରେ ଘଣ୍ଟା ଘଣ୍ଟା ଧରି କହୁଥିବା ପ୍ରଧାନମନ୍ତ୍ରୀ, ମଣିପୁର ଘଟଣାକୁ ନେଇ ୩୬ ସେକେଣ୍ଡରେ କହିଦେଲେ: ପୂର୍ବତନ ରାଜ୍ୟପାଳ ମଲିକ

ନୂଆଦିଲ୍ଲୀ,୨୧।୭: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ କିଛିଦିନ ହେବ ବିଭିନ୍ନ ପ୍ରସଙ୍ଗରେ ନିଜର ବୟାନ ରଖି ଆସୁଛନ୍ତି ଚର୍ଚ୍ଚାକୁ। ଏଥର ମଣିପୁର ହିଂସାରେ କୁକି ମହିଳାଙ୍କ ସହ ହୋଇଥିବା ବର୍ବରତା ସାମ୍ନାକୁ ଆସିବା ପରେ ମଲିକ ତାଙ୍କ ବୟାନ ରଖି ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅତି ନିକଟର ଥିବା ମଲିକ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି।
ମଲିକ କହିଛନ୍ତି କି ମନ କି ବାତ ଓ ଅନ୍ୟ ପ୍ରସଙ୍ଗ ଉପରେ ଘଣ୍ଟା ଘଣ୍ଟା ଧରି ମତ ରଖୁଥିବା ପ୍ରଧାନମନ୍ତ୍ରୀ ମୋଦି ମଣିପୁରରେ ଘଟିଥିବା ଅମାନବୀୟ ଓ ଦେଶକୁ ଲଜ୍ଜିତ କରିଥିବା ଘଟଣାକୁ ନେଇ କେବଳ ୩୬ ସେକେଣ୍ଡେରେ କଥା ସାରିଦେଲେ। ଏଇ ମାତ୍ର କିଛି ସେକେଣ୍ଡର ବୟାନ ଏବେ ସମସ୍ତଙ୍କୁ ଚକିତ କରିଛି। ମଣିପୁର ହିଂସାକୁ ନେଇ ଟୁଇଟ କରି ମଲିକ କହିଛନ୍ତି, ପ୍ରତି ମାସରେ ଘଣ୍ଟା ଘଣ୍ଟା ଧରି ମନ କି ବାତ କରୁଥିବା ପ୍ରଧାନମନ୍ତ୍ରୀ ଆଜି ଜଳୁଥିବା ମଣିପୁରକୁ ନେଇ ମାତ୍ର ୩୬ ସେକେଣ୍ଡ କହିଲେ। ଏମିତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ବେଟି ବଚାଓ, ବେଟି ପଢାଓର ସ୍ଲୋଗାନ ଦେଉଥିବା ସରକାରଙ୍କ ଶାସନକାଳରେ ସର୍ବସାଧାରଣରେ ମହିଳାଙ୍କୁ ଉଲଗ୍ନ କରି ବୁଲାଯାଉଛି। ମଣିପୁରରେ ମହିଳାଙ୍କ ପ୍ରତି ହୋଇଥିବା ବର୍ବରତା ନିନ୍ଦନୀୟ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ମଣିପୁର ହିଂସାକୁ ନେଇ ମଲିକ କହିଥିଲେ ଯଦି ପୁଣିଥରେ ଏଭଳି ସରକାର ଆସେ ତେବେ ସାରା ଦେଶରେ ଏମାନେ ଦଙ୍ଗା କରିଦେବେ। କାରଣ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଶେଷ କରିପାରିବା କଥା କହୁଥିବା ଏହି ସରକାର ମଣିପୁର ହିଂସାକୁ ତ କମ କରିପାରୁ ନାହଁାନ୍ତି।

Share