ସତ୍ୟନଗର ଶ୍ମଶାନ ବିଦ୍ୟୁତ୍‌ ଚୁଲା ଅଚଳ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ସତ୍ୟନଗର ଶ୍ମଶାନର ବିଦ୍ୟୁତ ଚୁଲା ମଙ୍ଗଳବାରଠାରୁ ଅଚଳ ହୋଇପଡିଛି। ଫଳରେ ଶୀଘ୍ର ଓ ସ୍ବଳ୍ପ ମୂଲ୍ୟରେ ମୃତଦେହ ପୋଡିବା ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହୋଇଛି। ୩ଦିନ ହେବ କୋଲକାତା ମିସ୍ତ୍ରିଙ୍କୁ ଅପେକ୍ଷା କରି ବସିଛି ବିଏମ୍‌ସି ବିଦ୍ୟୁତ୍‌ ବିଭାଗ। ଏହି ଶ୍ମଶାନଟି ବିଏମସି ଦ୍ୱାରା ପରିଚାଳିତ ହେଉଛି। ଏଠାରେ ଶବ ପୋଡିବାକୁ କାଠ ଓ ବିଦ୍ୟୁତ୍‌ ଚୁଲାର ବ୍ୟବସ୍ଥା ରହିଛି। କାଠରେ ପୋଡ଼ିଲେ ୨୫୦୦ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବିଦ୍ୟୁତ ଚୁଲା ପାଇଁ ୩୫୦ଟଙ୍କା ରହିଛି। ଯଦି କେହି କାଠ ଦେବା ସହ ନିଜେ ପୋଡିବାକୁ ଚାହିଁବେ, ତେବେ କିଛି ମୂଲ୍ୟ ଦେବାକୁ ପଡିବନାହିଁ। ମୃତଦେହ ପୋଡିବା କାର୍ଯ୍ୟ ପାଇଁ ଏଠାରେ ବିଏମ୍‌ସି ତରଫରୁ ୨ଜଣ ଠିକା କର୍ମଚାରୀ ରହିଥିବାବେଳେ ୪ଜଣ ଅଫିସ କାର୍ଯ୍ୟପାଇଁ ନିୟୋଜିତ ଅଛନ୍ତି। ଏଠାରେ ରାଜଧାନୀ ସମେତ ସହର ବାହାରର ମୃତଦେହ ଦାହ କରାଯାଉଛି। ଏଥିସହ ମୃତ କୋଭିଡ୍‌ ରୋଗୀଙ୍କ ସତ୍କାର ପାଇଁ ବିଏମ୍‌ସି ପକ୍ଷରୁ କେବଳ ସତ୍ୟନଗର ଶ୍ମଶାନରେ ହିଁ ବ୍ୟବସ୍ଥା ରହିଛି। ଗତବର୍ଷ କୋଭିଡ୍‌ ସମୟରେ ସତ୍ୟନଗର ଶ୍ମଶାନରେ ଶବଦାହ ପାଇଁ ଧାଡ଼ି ଲାଗିଥିଲା। କୋଭିଡ୍‌ ଆକ୍ରାନ୍ତଙ୍କ ସହ ସାଧାରଣ ମୃତକଙ୍କୁ ଦାହ ପାଇଁ ଘଣ୍ଟା ଘଣ୍ଟା ଧରି ପକାଇ ରଖାଯାଉଥିଲା। ଚଳିତବର୍ଷ କରୋନାର ଦ୍ୱିତୀୟ ଲହର ଜାରି ରହିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ସେତେଟା ନାହିଁ। ବର୍ତ୍ତମାନ ଶ୍ମଶାନରେ ଦୈନିକ ୪/୫ଟି ଶବଦାହ ହେଉଛି। ଏମାନଙ୍କ ମଧ୍ୟରୁ ଜଣେ ଦୁଇଜଣ କୋଭିଡ୍‌ ରୋଗୀ ରହୁଛନ୍ତି। ଗୁରୁବାର ୫ ମୃତଦେହ ଦାହ କରାଯାଇଥିବାବେଳେ ୨ଜଣ କୋଭିଡ୍‌ ରୋଗୀ ଥିବା ଜଣାପଡିଛି। ସ୍ଥିତି ଜଟିଳ ଆଡକୁ ଗତି କରୁଥିବାବେଳେ ଆଗକୁ ସତ୍ୟନଗର ଶ୍ମଶାନରେ ପୂର୍ବର ସ୍ଥିତି ଉପୁଜିବା ଆଶଙ୍କା ରହିଛି। ଏପରିସ୍ଥିତିରେ ସମୟ ଓ ଖର୍ଚ୍ଚ ଦୃଷ୍ଟିରୁ ବିଦ୍ୟୁତ୍‌ ଚୁଲାର ଆବଶ୍ୟକତା ରହିଛି। କିନ୍ତୁ ଏବେ ବିଦ୍ୟୁତ ଚୁଲା ଅଚଳ ହୋଇପଡିଥିବାରୁ ଶବଦାହରେ ସମସ୍ୟା ଉପୁଜିଛି।
ସମ୍ପର୍କରେ ବିଏମ୍‌ସିର ସହକାରୀ ନିର୍ବାହୀ ଯନ୍ତ୍ରୀ(ବିଦ୍ୟୁତ୍‌) ସୁକାନ୍ତ କୁମାର ସାବତ କହିଛନ୍ତି, ମଙ୍ଗଳବାର ସକାଳୁ ବିଦ୍ୟୁତ୍‌ ଚୁଲାର ଶଟର ଖରାପ ହୋଇପଡିଛି। ଶଟର ଠିକ କରିବାକୁ କୋଲକାତାରୁ ମିସ୍ତ୍ରି ମଗାଯାଇଛି। ଖୁବ୍‌ଶୀଘ୍ର ବିଦ୍ୟୁତ୍‌ ଚୁଲା ସଜଡାଯିବ ବୋଲି ସାବତ ସୂଚନା ଦେଇଛନ୍ତି।

Share