ପୁରୀ ଅଫିସ/ସାକ୍ଷୀଗୋପାଳ/ପିପିଲି,୧୧।୭(ଡି.ଏନ.ଏ./ସ୍ବ.ପ୍ର.): କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସତ୍ୟବାଦୀ ବ୍ଲକ ଛକ ନିକଟରେ ଥିବା ଗୋପୀନାଥ ହସ୍ପିଟାଲକୁ ଶୁକ୍ରବାର ସିଲ୍ କରିଦିଆଯାଇଛି। ଜିଲା ଜନ ସ୍ବାସ୍ଥ୍ୟ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇନଚାର୍ଜ ଡା. ବିରଜା ଶଙ୍କର ରଥଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ଉକ୍ତ ହସ୍ପିଟାଲରେ ଚଢ଼ାଉ କରିଥିଲେ। ପିପିଲି ଥାନା ଦୁର୍ଗାଦାସପୁର ପଞ୍ଚାୟତ ଅଧୀନ ଠଣଠଣା ଅଞ୍ଚଳର ଜଣେ ଯୁବକ(୨୭) ଗତ କିଛିଦିନ ତଳେ ଭୁବନେଶ୍ୱର ଏକ ହସ୍ପିଟାଲକୁ ହାର୍ନିଆ ଚିକିତ୍ସା ପାଇଁ ଯାଇଥିଲେ। ତାଙ୍କର କରୋନା ଟେଷ୍ଟ ହୋଇ ନ ଥିବାରୁ ସେଠାରେ ଆଡମିଶନ ନ କରାଯାଇ ସ୍ବାବ ସଂଗ୍ରହ କରି ଫେରାଇ ଦିଆଯାଇଥିଲା। ପରେ ଅଧିକ ଯନ୍ତ୍ରଣା ହେବାରୁ ଗତ ୬ତାରିଖରେ ପରିବାର ଲୋକେ ତାଙ୍କୁ ଉକ୍ତ ହସ୍ପିଟାଲକୁ ନେଇ ଅସ୍ତ୍ରୋପଚାର କରାଇଥିଲେ। ଗୁରୁବାର ଯୁବକଙ୍କ ରିପୋର୍ଟ ପଜିଟିଭ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ଫଳରେ ଉକ୍ତ ହସ୍ପିଟାଲରେ ଚିକିତ୍ସା ହୋଇଥିବା ଜଣାପଡ଼ିଥିଲା। ଶୁକ୍ରବାର ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଯାଞ୍ଚ ଟିମ ଉକ୍ତ ହସ୍ପିଟାଲକୁ ଆସି ପଚରାଉଚୁରା ବେଳେ ବିନା କୌଣସି ଟେଷ୍ଟରେ ଅସ୍ତ୍ରୋପଚାର କରିଥିବା ଜଣାପଡ଼ିବା ସହ ହସ୍ପିଟାଲର ଜରୁରୀ କାଗଜପତ୍ର ଦେଖାଇପାରି ନ ଥିଲେ। ଏ ନେଇ ଯାଞ୍ଚ ଟିମ ହସ୍ପିଟାଲ ପରିଚାଳକଙ୍କ ବିରୋଧରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିବା ଆଇଆଇସି ଦେବୀପ୍ରସାଦ ପାତ୍ର କହିଛନ୍ତି। ଏହାସହ ପୋଲିସ ଓ ଯାଞ୍ଚ ଟିମ ହସ୍ପିଟାଲର ମୁଖ୍ୟ ଫାଟକରେ ତାଲା ପକାଇ ସିଲ କରିବା ସହ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନରେ ରହିବା ପାଇଁ କୁହାଯାଇଛି। ଯାଞ୍ଚ ବେଳେ ତହସିଲଦାର କସ୍ତୁରୀ ପ୍ରଧାନ, ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବିଶ୍ୱଜିତ ମିଶ୍ର, ଜୟପୁର ପଞ୍ଚାୟତ ସରପଞ୍ଚ ବିଶ୍ୱଜିତ ମହାପାତ୍ର ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଏହାସହ ଦୁର୍ଗାଦାସପୁର ସରପଞ୍ଚ ବାସନ୍ତୀ ବେହେରା ଠଣଠଣା ମୌଜାର ସେଠୀ ସାହି, ଜେନା ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାସହ ଗଁ।ର ପ୍ରବେଶ ପଥକୁ ସିଲ କରିଛନ୍ତି। ଏପରିକି ଅନ୍ୟ ଆଦେଶ ନ ଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ସରପଞ୍ଚ ଚିଠି ନଂ.୩୨/୨୦ରେ ଏକ ନୋଟିସ ଜାରି କରିଛନ୍ତି। ଏହାସହ ଉକ୍ତ ପରିବାରରୁ ୨୨ଜଣଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।