Categories: ଫୁରସତ

ପିଜୁଳି ଗଛ ଦେଲା ପରିଚୟ

ଗୟା,୧୩ ।୨: ବିହାର ଗୟା ଜିଲାର ବେଲାଗଞ୍ଜରେ ଫଲ୍‌ଗୁ ନଦୀ କୂଳରେ ଯାଉଥିବା ଯାତ୍ରୀଙ୍କୁ ଏକ ସୁଗନ୍ଧ ଆକର୍ଷିତ କରିଥାଏ । ଅସଲ କଥା ହେଲା ସେଠାରେ ସତ୍ୟେନ୍ଦ୍ର ଗୌତମ ମାଝିଙ୍କର ରହିଛି ଏକ ପିଜୁଳି ବଗିଚା । ପରିବେଶ ସୁରକ୍ଷା ଲାଗି ସତ୍ୟେନ୍ଦ୍ର ଏହି ପ୍ରୟାସ କରିଥିବା ବେଳେ ଏବେ ସେ ସେଥିରେ ଫଳୁଥିବା ପିଜୁଳି ବିକି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି । ଜମିଟି ଅନୁର୍ବର ହୋଇ ପଡିଥିବା ବେଳେ ଏବେ ପିଜୁଳି ଗଛ ଲଗାଇ ସେ ସେଥିରୁ ରୋଜଗାର କରିବା ସହ ସେଠାରେ ଏକ ନର୍ସରୀ ତିଆରି କରିଛନ୍ତି ।ପ୍ରାୟ ୫୦ ହଜାର ଗଛ ପାଇଁ ସେ ମଞ୍ଜି ଲଗାଇଛନ୍ତି । ମାଝି ଦାବି କରନ୍ତି ଯେ ଗତ ପ୍ରାୟ ୧୫ ବର୍ଷ ହେବ ସେ ଏହି ଅନୁର୍ବର ଜମିରେ ୧୦ ହଜାର ଗଛ ଲଗାଇ ସାରିଲେଣି । ଏଥିମଧ୍ୟରୁ ଅଧିକାଂଶ ହେଉଛି ପିଜୁଳି ଗଛ । ଏଥିପାଇଁ ସେ ଦଶରଥ ମାଝିଙ୍କଠାରୁ ପ୍ରେରଣା ପାଇଥିବା କୁହନ୍ତି । ଗୋଟିଏ ଥର ସେ ମୋ ଘରକୁ ଆସିଥିଲେ ଓ ଏହିଠାରେ କିଛି ଗଛ ଲଗାଇବାକୁ ମୋତେ କହିଥିଲେ । ଆଉ ତାଙ୍କ କଥାମାନି ମୁଁ ଏଠାରେ ଏତେ ଗଛ ଲଗାଇଛି ବୋଲି କହିଛନ୍ତି ସତ୍ୟେନ୍ଦ୍ର । ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସେ ଏହି ପିଜୁଳି ବଗିଚା ସୃଷ୍ଟି କରିଥିବା ବେଳେ ଲୋକେ ମଧ୍ୟ ଏହାଦ୍ୱାରା ସଚେତନ ହୁଅନ୍ତୁ ବୋଲି ସେ କହିଛନ୍ତି । ସତ୍ୟେନ୍ଦ୍ର କହିଛନ୍ତି କେବଳ ମୁଁ ନୁହେଁ ସମସ୍ତେ ନିଜ ନିଜ ଘର ନିକଟରେ କିଛି କିଛି ଗଛ ଲଗାଇଲେ ପରିବେଶ ପ୍ରଦୂଷଣ ଅନେକ ମାତ୍ରାରେ କମ ହୁଅନ୍ତା ।

Share