ହାଇଦ୍ରାବାଦ ହାଉସରେ ଆଜି ମୋଦିଙ୍କୁ ଭେଟିବେ ସୌଦି ଅରବ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ/ରିୟାଦ,୧୧।୯: ଭାରତରେ ଆୟୋଜିତ ଜି -୨୦ ଶିଖର ସମ୍ମିଳନୀରେ ସୌଦି ଆରବର ପ୍ରଧାନମନ୍ତ୍ରୀ ତଥା କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ ସୌଦ ଯୋଗ ଦେଇଥିଲେ, କିନ୍ତୁ ସେ ଏପର୍ଯ୍ୟନ୍ତ ସ୍ବଦେଶ ଫେରି ନାହାଁନ୍ତି। ସେ ସୋମବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ସୌଦି ଆରବର କ୍ରାଉନ ପ୍ରିନ୍ସ ୩ ଦିନିଆ ବିଦେଶ ଗସ୍ତରେ ଭାରତ ଆସିଛନ୍ତି। ସୋମବାର ତାଙ୍କ ଯାତ୍ରାର ତୃତୀୟ ଦିନ।

ନୂଆଦିଲ୍ଲୀରେ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଦେଶର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଆମେରିକା ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତା ସମୟରେ ପ୍ରତିରକ୍ଷା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମେତ ଅନେକ କ୍ଷେତ୍ରରେ ଚୁକ୍ତିନାମା ହୋଇଥିଲା। ସୋମବାର ଭାରତ ଏବଂ ସୌଦି ଆରବ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ସମ୍ଭବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସୌଦି ଆରବର କ୍ରାଉନ ପ୍ରିନ୍ସ ୧୧ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ରାଜକୀୟ ଗସ୍ତ ପାଇଁ ଭାରତରେ ରହିବେ। ତେବେ ସେପ୍ଟେମ୍ବର ୧୧ରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ସୂଚନା ଦିଆଯାଇ ନାହିଁ।

Share