ସୌଦି କ୍ରାଉନ ପ୍ରିନ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି କହିଛନ୍ତି-ମାନବ ବିକାଶ ପାଇଁ ମିଳିତ ଭାବେ କାମ କରିବୁ

ନୂଆଦିଲ୍ଲୀ/ରିୟାଦ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦ ହାଉସରେ ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ବିନ ଅବଦୁଲଅଜିଜ ଅଲ ସଉଦଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ବାର୍ତ୍ତା କରିଛନ୍ତି। ମୋଦିଙ୍କ ସହ ସାକ୍ଷାତକାର ପୂର୍ବରୁ ସୌଦି କ୍ରାଉନ ପ୍ରିନ୍ସଙ୍କର ରାଷ୍ଟ୍ରପତି ଭବନରେ ଔପଚାରିକ ସ୍ବାଗତ କରାଯାଇଥିଲା। ଏହି ଅମସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ଥିଲେ। ସୌଦି କ୍ରାଉନ ପ୍ରିନ୍ସ ୩ ଦିନିଆ ଯାତ୍ରାରେ ଦିଲ୍ଲୀ ପହଞ୍ଚିଛନ୍ତି। ଜି-୨୦ ଶିଖର ସମ୍ମିଳନୀ ଶେଷ ହେବା ପରେ ସେ ଏବେ ଦିଲ୍ଲୀରେ ଅଛନ୍ତି। ସୋମବାର ହେଉଛି ତାଙ୍କ ଯାତ୍ରାର ଅନ୍ତିମ ଦିବସ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ସୌଦି କ୍ରାଉନ ପ୍ରିନ୍ସ ‘ଭାରତ-ସୌଦି ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ’ (ଏସପିସି) ର ବୈଠକରେ ଭାଗ ନେଇଥିଲେ। ସୌଦି ଆରବର ପ୍ରଧାନମନ୍ତ୍ରୀ, କ୍ରାଉନ ପ୍ରିନ୍ସ ମଧ୍ୟ ସନ୍ଧ୍ୟା ୬ଟା ୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଯାଉଛନ୍ତି। ସେ ରାତି ୮ଟା ୩୦ରେ ନୂଆଦିଲ୍ଲୀ ଛାଡିବେ। ଏହାପୂର୍ବରୁ ସେ ଫେବୃୟାରୀ ୨୦୧୯ରେ ଭାରତ ଗସ୍ତ କରିଥିଲେ। ସୌଦି ଆରବର କ୍ରାଉନ ପ୍ରିନ୍ସଙ୍କର ଏହା ହେଉଛି ଦ୍ୱିତୀୟ ଗସ୍ତ । ଜି -୨୦ରେ ଯୋଗଦେବା ପାଇଁ ସେ ଶୁକ୍ରବାର ଭାରତ ଆସିଥିଲେ।

Share