ଗରିବ ପାକିସ୍ତାନକୁ ସାଉଦି ଆରବ ଭରସା

ଇସଲାମାବାଦ,୨୭।୧୦: ଆଜିକାଲି ପାକିସ୍ତାନ ଏକ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ମହଙ୍ଗା ଆକାଶ ଛୁଆଁ ହୋଇଛି। ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏଭଳି ପରିସ୍ଥିତିରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାଉଦି ଆରବର ରାଜକୁମାରଙ୍କ ସହାୟତା ଗୁହାରି କରିଛନ୍ତି। ପାକିସ୍ତାନର ବୁଡ଼ି ଯାଉଥିବା ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ସାଉଦି ଆରବ ମଧ୍ୟ ଏକ ବଡ଼ ସହାୟତା ଘୋଷଣା କରିଛି।
ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ସାଉଦି ଆରବ ଫଣ୍ଡ ଫର ଡେଭଲପମେଣ୍ଟ ଘୋଷଣା କରିଛି। ସାଉଦି ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କରେ ତିନି ବିଲିୟନ ଆମେରିକୀୟ ଡଲାର ଜମା କରୁଛି। ଏହି ରିପୋର୍ଟରେ କୁହାଯାଇଛି ଯେ ସାଉଦି ଆରବ ପାକିସ୍ତାନକୁ ଚଳିତ ବର୍ଷ ୧.୨ବିଲିୟନ ଡଲାର ତୈଳ ଦ୍ରବ୍ୟର ବାଣିଜ୍ୟକୁ ଆର୍ଥିକ ସହାୟତା ଦେବ। ସାଉଦି ଆରବରୁ ମିଳିଥିବା ସହାୟତାକୁ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ଏବଂ ଶକ୍ତି ମନ୍ତ୍ରୀ ଅହମ୍ମଦ ଅଜହର ନିଶ୍ଚିତ କରିଛନ୍ତି। ଫଳରେ ୨୩ ରୁ ୨୫ ଅକ୍ଟୋବର ମଧ୍ୟରେ ସାଉଦି ଗସ୍ତରେ ଇମ୍ରାନ ଖାନଙ୍କ ଗସ୍ତ ଉପଯୋଗୀ ହୋଇଛି। ସେ ପାକିସ୍ତାନକୁ ଉଦ୍ଧାର କରିବା ପାଇଁ ସାଉଦି ଯାଇଥିଲେ। ଏହି ସମୟରେ ସେ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ବିନ ଅବଦୁଲାଜିଜ ଅଲ ସାଉଦଙ୍କୁ ଭେଟିଥିଲେ। ସେ ରିୟାଦରେ ମଧ୍ୟପ୍ରାଚ୍ୟ ଗ୍ରୀନ ଇନିସିଏଟିଭ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ। ଇମ୍ରାନଙ୍କ ଗସ୍ତର କିଛି ସମୟ ପରେ ସାଉଦି ଆରବରୁ ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା।

Share