Categories: ଖେଳ

କଳିଙ୍ଗ ଷ୍ଟାଡିୟମରେ ସାଉଦି ଆରବ ପ୍ରତିନିଧି

ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଭାରତ-ଲେବାନନ୍‌ ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଫାଇନାଲର ପ୍ରତ୍ୟକ୍ଷଦର୍ଶୀ ହେବା ପାଇଁ ସାଉଦିଆରବ ଫୁଟ୍‌ବଲ ଫେଡେରେଶନର ଏକ ପ୍ରତିନିଧି ଦଳ ରବିବାର ଉପସ୍ଥିତ ଥିଲା। ଡେପୁଟି ସେକ୍ରେଟାରି ଜେନେରାଲ ଇବ୍ରାହିମ୍‌ ଅଲ୍‌କାବା ଏହି ଦଳର ନେତୃତ୍ୱ ନେଇଥିଲେ। ସାଉଦି ଫେଡେରେଶନର ସିନିୟର ଆଡ୍‌ଭାଇଜର ହିଚାମ ଏଲ୍‌ ଅମ୍‌ରାନି ଏବଂ ଡିଜିଏସ୍‌ ଆସିଷ୍ଟାଣ୍ଟ ସେକ୍ରେଟାରି ଏହି ଦଳରେ ସାମିଲ ଥିଲେ। ଏହି ପ୍ରତିନିଧି ଦଳ ସହ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା ଓ ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ ମହାସଚିବ ଶାଜି ପ୍ରଭାକରନ ଉକ୍ତ ଅଞ୍ଚଳରେ ଫୁଟ୍‌ବଲର ବିକାଶ ଓ ପ୍ରମୋଶନ ସମ୍ପର୍କରେ ଆଲୋଚନା କରିଥିଲେ। ସାଫ୍‌ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ଏବଂ ଓଡ଼ିଶାରେ କିପରି ଫୁଟ୍‌ବଲର ବିକାଶ ହୋଇପାରିବ ସେ ସମ୍ପର୍କରେ ଉକ୍ତ ପ୍ରତିନିଧି ଦଳ ଏସିଆନ ଫୁଟ୍‌ବଲ ଫେଡେରେଶନ ସହ ମଧ୍ୟ ଆଲୋଚନା ଜାରି ରଖିବ। ସାଉଦିଆରବ ସହ ହୋଇଥିବା ଚୁକ୍ତି ଅନୁସାରେ ପ୍ରଥମଥର ପାଇଁ ସନ୍ତୋଷ ଟ୍ରଫି ଫୁଟ୍‌ବଲର ନକ୍‌ଆଉଟ ପର୍ଯ୍ୟାୟ ଭାରତ ବାହାରେ ରିୟାଦ୍‌ରେ ଖେଳା ଯାଇଥିଲା।
”ଆମେ ଚିତ୍ତାକର୍ଷକ କଳିଙ୍ଗ ଷ୍ଟାଡିୟମରେ ହିରୋ କଣ୍ଟିନେଣ୍ଟାଲ କପ୍‌ ଫାଇନାଲର ପ୍ରତ୍ୟକ୍ଷଦର୍ଶୀ ହୋଇଥିବାରୁ ପ୍ରକୃତରେ ସମ୍ମାନିତ ଅନୁଭବ କରୁଛୁ। ଏଠାକାର ପରିବେଶ ଏବଂ ଭିତ୍ତିଭୂମି ଚମତ୍କାର। ଆମକୁ ଏପରି ଏକ ସୁଯୋଗ ଦେଇଥିବାରୁ ଆୟୋଜକ ଭାରତ ଏବଂ ଓଡ଼ିଶା ନିକଟରେ ଆମେ କୃତଜ୍ଞ“ ବୋଲି ସାଉଦି ଆର୍‌ବିଆନ୍‌ ଫୁଟ୍‌ବଲ ଫେଡେରେଶନ ଡେପୁଟି ସେକ୍ରେଟାରି ଜେନେରାଲ ଇବ୍ରାହିମ ଅଲ୍‌କାବା ପ୍ରକାଶ କରିଛନ୍ତି। ଏହି ପ୍ରତିନିଧି ଦଳକୁ ସ୍ବାଗତ କରିଥିଲେ ରାଜ୍ୟ କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା। ”ଆମେ ଏହି ପ୍ରତିନିଧି ଦଳକୁ ସ୍ବାଗତ କରୁଛୁ। ଏପରି ଅତିଥିଙ୍କୁ ପାଇଁ ଆମେ ସମ୍ମାନିତ ହେବାପରି ଅନୁଭବ କରୁଛୁ। ସେମାନଙ୍କ ସହ ଭାବ ବିନିମୟ କରି ଆମେ ଫୁଟ୍‌ବଲର ବିକାଶ ପାଇଁ କାର୍ଯ୍ୟ କରିବୁ“ ବୋଲି ଭିନିଲ କହିଛନ୍ତି।

ଗୋଟିଏ ଗ୍ରୁପ୍‌ରେ ଭାରତ-ପାକିସ୍ତାନ

ଭାରତୀୟ ଫୁଟ୍‌ବଲ ପାଇଁ ଆଉ ଏକ ବଡ଼କଥା ହେଲା, ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ୨୦୨୩ ସାଫ୍‌ ଚାମ୍ପିୟନଶିପ୍‌ ଜୁନ୍‌ ୨୧ରୁ ଜୁଲାଇ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାଗନେବାକୁ ଯାଉଥିବା ୮ ଦଳକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ବି’ରେ ଭାରତ, ପାକିସ୍ତାନ, କୁଏତ୍‌ ଓ ନେପାଳ ରହିଛନ୍ତି। ସେହିପରି ଗ୍ରୁପ୍‌ ଏ’ରେ ଭୁଟାନ, ଲେବାନନ୍‌, ବାଂଲାଦେଶ ଓ ମାଳଦ୍ୱୀପ ସ୍ଥାନ ପାଇଛନ୍ତି।

Share