Saudi Arabia To Open 1st Alcohol Store: ପ୍ରଥମ ମଦ ଦୋକାନ ଏବେ ସାଉଦିରେ !…

ରିୟାଦ,୨୫।୧ : ସାଉଦି ଆରବର ରାଜଧାନୀ ରିୟାଦରେ ପ୍ରଥମ ମଦ ଦୋକାନ ଖୁବ ଶୀଘ୍ର ଖୋଲିବାକୁ ଯାଉଛି। ଖବର ଅନୁଯାୟୀ ଏଠାରେ କେବଳ ଅଣ-ମୁସଲମାନ କୂଟନୀତିଜ୍ଞଙ୍କୁ ମଦ ଦିଆଯିବ। ମଦ୍ୟପାନ ଉପରେ ସାଉଦି ଆରବର ଆଭିମୁଖ୍ୟ ଅତ୍ୟନ୍ତ କଠୋର। ଯଦି ସାଧାରଣ ନାଗରିକ ଏହା କରନ୍ତି, ତେବେ ତାଙ୍କୁ ଚାବୁକ ମାଡଠାରୁ ଆରମ୍ଭ କରି ଜରିମାନା ଏବଂ ଜେଲ ପର୍ଯ୍ୟନ୍ତ ଦଣ୍ଡର ସାମ୍ନା କରିବାକୁ ପଡିପାରେ ।

ଖବର ଅନୁଯାୟୀ, ନୂତନ ଷ୍ଟୋରରୁ ମଦ ପାଇବାକୁ ଗ୍ରାହକଙ୍କୁ ଏକ ମୋବାଇଲ ଆପ ମାଧ୍ୟମରେ ପଞ୍ଜିକରଣ କରିବାକୁ ପଡିବ। ଏହା ପରେ ସେମାନେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରୁ କ୍ଲିୟରାନ୍ସ କୋଡ ପାଇବେ। ଏହା କୁହାଯାଉଛି ଗୋଟିଏ ମାସରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା କେତେ ମଦ କିଣାଯାଇପାରିବ ସେନେଇ ଏକ ସୀମା ମଧ୍ୟ ସ୍ଥିର କରାଯିବ।

ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ପର୍ଯ୍ୟଟନ ତଥା ବ୍ୟବସାୟ ଜଗତ ପାଇଁ ନିଜର ଅତ୍ୟଧିକ ରକ୍ଷଣଶୀଳ ମୁସଲମାନ ଦେଶର ଦ୍ୱାର ଖୋଲିବାକୁ ଚାହୁଁଛନ୍ତି।

ଏହି ମଦ ଦୋକାନ ରାଜଧାନୀ ରିୟାଦର କୂଟନୈତିକ କ୍ୱାର୍ଟରରେ ଅବସ୍ଥିତ। ଏହି କ୍ଷେତ୍ରରେ ଦୂତାବାସ ଏବଂ କୂଟନୀତିଜ୍ଞଙ୍କ ବାସସ୍ଥାନ ଅଛି। ତେବେ ଏହା ସ୍ପଷ୍ଟ ହୋଇନାହିଁ କେବଳ ଅଣ-ମୁସଲମାନ କୂଟନୀତିଜ୍ଞଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯିବ ନା ଅନ୍ୟ ଅଣ-ମୁସଲମାନ ବିଦେଶୀମାନେ ମଧ୍ୟ ସେଠାକୁ ଯିବେ। ସୂଚନା ଅନୁଯାୟୀ, ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଷ୍ଟୋର୍‌ ଖୋଲିବ ବୋଲି ଆଶା କରାଯାଉଛି।

 

 

Share