୩ ବର୍ଷ ଜେଲରେ ରହିବା ପରେ ମୁକ୍ତ ହେଲେ ସାଉଦି ଯୁବରାଣୀ

ରିୟାଧ,୯।୧: ୩ ବର୍ଷ ହେଲା ଜେଲ୍‌ରେ ଥିବା ସାଉଦି ଯୁବରାଣୀ ଓ ତାଙ୍କ ଝିଅଙ୍କୁ ସାଉଦି ସରକାର ମୁକ୍ତ କରିଛି। ଏନେଇ ଏକ ମାନବାଧିକାର ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ ପରିବାର ସଦସ୍ୟ ବାସ୍‌ମା ବିଣ୍ଟ ସାଉଦ୍‌(୫୭) ଦୀର୍ଘ ବର୍ଷ ହେଲା ମହିଳାଙ୍କ ଅଧିକାର ଓ ସାମ୍ବିଧାନିକ ଶାସନ ପାଇଁ ଲଢ଼େଇ କରିଆସୁଥିଲେ। ୨୦୧୯ ମାର୍ଚ୍ଚରୁ ତାଙ୍କୁ ଅଟକ ରଖାଯାଇଥିଲା। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ଜେଲ୍‌ରୁ ମୁକ୍ତ କରିବା ଲାଗି ଗତବର୍ଷ ଏପ୍ରିଲରେ ସେ ରାଜା ସଲମାନ ଏବଂ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ନିବେଦନ କରିଥିଲେ। ବାସ୍‌ମା ଓ ତାଙ୍କ ଝିଅ ସୁହୋଦଙ୍କୁ ମୁକ୍ତ କରାଯାଇଥିବା ମାନବାଧିକାର ସଂଗଠନ ଟୁଇଟ୍‌ କରି ଜଣାଇଛି।

Share