ଟୁଇଟ୍‌ ପାଇଁ ସାଉଦି ମହିଳାଙ୍କୁ ୩୪ ବର୍ଷ ଜେଲ

ରିୟାଧ, ୧୭ା୮: କେତେକ ଟୁଇଟର ଆକାଉଣ୍ଟକୁ ଫଲୋ କରିବା, ସେଗୁଡ଼ିକର ଟୁଇଟ୍‌କୁ ରିଟୁଇଟ୍‌ କରିବା ଅଭିଯୋଗରେ ସାଉଦି ଆରବର ଜଣେ ମହିଳାଙ୍କୁ ୩୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୩୪ ବର୍ଷୀୟା ସଲ୍‌ମା ଅଲ୍‌-ଶେହାବ୍‌ ବ୍ରିଟେନର ଲିଡ୍‌ସ ୟୁନିଭର୍ସିଟିରେ ଜଣେ ପିଏଚ୍‌ଡି ଛାତ୍ରୀ। ସେ ଗତ ବର୍ଷ ଛୁଟି କାଟିବାକୁ ଘରକୁ ଆସିଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରଥମେ ସାଉଦିର ଏକ ସ୍ବତନ୍ତ୍ର ଆତଙ୍କବାଦ ନିରୋଧୀ କୋର୍ଟ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। କିନ୍ତୁ ରାୟର ପୁନର୍ବିଚାର କରି କୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତାଙ୍କ ଉପରେ ୩୪ ବର୍ଷ ପାଇଁ କୌଣସି ସ୍ଥାନକୁ ଯାତ୍ରା ଉପରେ ମଧ୍ୟ କଟକଣା ଲାଗିଛି।
କୋର୍ଟ କହିଥିଲେ, ସଲ୍‌ମା ଇଣ୍ଟରନେଟ ବ୍ୟବହାର କରି ଦେଶରେ ଅଶାନ୍ତି ସହ ଜାତୀୟ ନିରାପତ୍ତାକୁ ନେଇ ଅସ୍ଥିରତା ସୃଷ୍ଟି କରୁଛନ୍ତି। ଏପରି କରି ଦେଶ ବିରୋଧୀ ତତ୍ତ୍ୱଙ୍କୁ ସେ ସହଯୋଗ କରୁଛନ୍ତି। ବିଭିନ୍ନ ମାନବାଧିକାର ସଙ୍ଗଠନ ଏହି ରାୟକୁ ନିନ୍ଦା କରିଛନ୍ତି। ତୁରନ୍ତ ସଲ୍‌ମାଙ୍କୁ ମୁକ୍ତ କରିବାକୁ ୟୁରୋପିଆନ୍‌ ସାଉଦି ଅର୍ଗାନାଇଜେଶନ ଫର୍‌ ହ୍ୟୁମାନ୍‌ ରାଇଟ୍ସ ଏବଂ ଏଏଲ୍‌କ୍ୟୁଏସ୍‌ଟି ଫର୍‌ ହ୍ୟୁମାନ ରାଇଟ୍ସ ପକ୍ଷରୁ ଦାବି ହୋଇଛି। ସଲ୍‌ମା ଜଣେ ଶିଆ ମୁସଲମାନ ହୋଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଛି ବୋଲି ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା ଉପରେ ଆମେରିକୀୟ କମିଶନଙ୍କ ପକ୍ଷରୁ କୁହାଯାଇଛି। ମହିଳାଙ୍କ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଥିବା ଅଭିଭାବକ ବ୍ୟବସ୍ଥା ଉଠାଯିବା ସହ ଗିରଫ ମାନବାଧିକାର କର୍ମୀଙ୍କୁ ମୁକ୍ତ କରିବା ପାଇଁ ସଲ୍‌ମା ଅନେକ ଅଭିଯାନରେ ସାମିଲ ହୋଇ ଦାବି କରିଆସୁଛନ୍ତି।

Share