Categories: ଖେଳ

ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ, ସୌରାଷ୍ଟ୍ର ବିପକ୍ଷରେ ୯୯ ରନରେ ଅଲ୍‌ଆଉଟ

ଭୁବନେଶ୍ୱର,୨୯।୧୧: ବ୍ୟାଟିଂ ବିଫଳତା କାରଣରୁ ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ବୁଧବାର ସୌରାଷ୍ଟ୍ରଠାରୁ ୪ ଉଇକେଟରେ ହାରି ଯାଇଛି। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓଡ଼ିଶା ୨୯.୧ ଓଭରରେ ମାତ୍ର ୯୯ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ସନ୍ଦିପ ପଟ୍ଟନାୟକ (୪୨) ଓ ଶୁଭ୍ରାଂଶୁ ସେନାପତି (୨୧)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ।

ସୌରାଷ୍ଟ୍ର ପକ୍ଷରୁ ଧର୍ମେନ୍ଦ୍ରସିଂ ଜାଡେଜା ୫.୧ ଓଭରରେ ମାତ୍ର ୧୬ ରନ ଦେଇ ୫ ଉଇକେଟ ସଫଳତା ପାଇଥିଲେ। ପ୍ରେରକ ମଙ୍କଡ଼ ଓ ଅଙ୍କୁର ପନଓ୍ବାର ୨ଟି ଲେଖାଏ ଏବଂ ଜୟଦେବ ଉନାଡକଟ୍‌ ଗୋଟିଏ ଉଇକେଟ ନେଇଥିଲେ। ଜବାବରେ ସୌରାଷ୍ଟ୍ର ୨୪.୪ ଓଭରରେ ୬ ଉଇକେଟ ହରାଇ ୧୦୨ ରନ ସଂଗ୍ରହ କରି ନେଇଥିଲା। ଓଡ଼ିଶା ବୋଲରମାନେ ଭଲ ବୋଲିଂ କରି ୭୪ ରନ ମଧ୍ୟରେ ସୌରାଷ୍ଟ୍ରର ୬ ଉଇକେଟ ପକାଇ ଦେଇଥିଲେ। ମାତ୍ର ଅର୍ପିଦ ବାସବଦା ଦଳ ପକ୍ଷରୁ ସର୍ବାଧିକ ୨୦ ଓ ଚିରାଗ ଜାନି ୧୬ ରନରେ ଅପରାଜିତ ରହି ଦଳକୁ ବିଜୟୀ କରିଥିଲେ।

ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ ୩ଟି ଲେଖାଏ ଉଇକେଟ ନେଇଥିଲେ। ଚଳିତ ଟୁର୍ନାମେଣ୍ଟରେ କ୍ରମାଗତ ତୃତୀୟ ମ୍ୟାଚ ହାରି ପରାଜୟରେ ହ୍ୟାଟ୍ରିକ କରିଛି ଓଡ଼ିଶା। ତ୍ରିପୁରା ବିପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ମ୍ୟାଚରେ ଭିଜେଡି ପଦ୍ଧତିରେ ରେଲଓ୍ବେଠାରୁ ଏବଂ ତୃତୀୟ ମ୍ୟାଚରେ କେରଳଠାରୁ ୭୮ ରନରେ ପରାଜିତ ହୋଇଥିଲା। ଫଳରେ ୪ ମ୍ୟାଚରୁ ଦଳ ମାତ୍ର ୪ ପଏଣ୍ଟ ପାଇ ୮ ଦଳ ବିଶିଷ୍ଟ ଗ୍ରୁପ୍‌ ‘ଏ’ରେ ୭ମ ସ୍ଥାନରେ ରହିଛି।

Share