‘ପ୍ରଥମେ ପଛୁଆ ବର୍ଗଙ୍କୁ ସଂରକ୍ଷଣ, ପରେ ନିର୍ବାଚନ କର’

ଭୁବନେଶ୍ୱର,୧।୧(ବ୍ୟୁରୋ): ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସଂରକ୍ଷଣ ଦାବିକୁ ଦୋହରାଇଛି କଂଗ୍ରେସ। ଶୁକ୍ରବାର ପ୍ରଦେଶ କଂଗ୍ରେସ କମିଟିର ୩ଜଣିଆ ପ୍ରତିନିଧି ଦଳ ଲୋକସେବା ଭବନକୁ ଯାଇ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ଉଚ୍ଛେଦ ସଂରକ୍ଷଣ ବ୍ୟବସ୍ଥାକୁ ପୁନଃ ଲାଗୁ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଥିବା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପିସିସି ପଛୁଆ ବର୍ଗ ବିଭାଗ ଅଧ୍ୟକ୍ଷ ଜ୍ଞାନଦେବ ବେଉରା ଓ ଚିନ୍ମୟ ସୁନ୍ଦର ଦାସ ଦଳ ତରଫରୁ ପ୍ରଥମେ ସଂରକ୍ଷଣ ଓ ପରେ ନିର୍ବାଚନ ଦାବିକୁ ଗ୍ରହଣ ଲାଗି ସରକାରଙ୍କୁ ଅନୁରୋଧ କରିଛନ୍ତି। ଦାବିପତ୍ର ଗ୍ରହଣ କରି ପ୍ରମୁଖ ଶାସନ ସଚିବ ଏହି ପ୍ରସଙ୍ଗ ଉପରେ ସରକାର ତର୍ଜମା କରିବା ପରେ ପଦକ୍ଷେପ ନେବାକୁ କହିଥିବା ପ୍ରତିନିଧି ମଣ୍ଡଳୀ ଜଣାଇଛନ୍ତି। ତେବେ କଂଗ୍ରେସର ଏହି ଦାବିକୁ ସରକାର ବିଚାରକୁ ନ ନେଲେ ଖୁବ୍‌ଶୀଘ୍ର ନ୍ୟାୟାଳୟକୁ ଯିବାପାଇଁ ନିଷ୍ପତ୍ତି ନିଆଯିବ ବୋଲି ସେମାନେ କହିଛନ୍ତି।

Share