ଭାରତରେ କୋଭିଡ୍-୧୯ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଏହି ଭୂତାଣୁକୁ ପ୍ରତିହତ କରିବା ଲାଗି ଟିକା ପ୍ରସ୍ତୁତି ଚାଲିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର କୁହାଯାଉଛି। ହେଲେ ଏହା କେବେ ବଜାର ଦେଖିବ ତାହା କହିବା କଷ୍ଟକର। କେବଳ ସେତିକି ନୁହେଁ, ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନ ଥିବା କୋଭିଡ୍-୧୯ ଟିକା ପ୍ରଥମେ ଯେତେବେଳେ ପଦାର୍ପଣ କରିବ, ସେତେବେଳେ ତାହାର କେଉଁଭଳି ଶକ୍ତି ରହିଛି ତାହା ମଧ୍ୟ ଦେଖିବାକୁ ବାକି ଅଛି। ପରିସ୍ଥିତି ଉଦ୍ବେଗଜନକ ହେଉଥିବାରୁ ୧୯ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡାପାଡି ପାଲାନିସାମୀଙ୍କ ସମେତ ୭ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ହୁଏତ କୋଭିଡ୍-୧୯ ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ଭବିଷ୍ୟତର ପଦକ୍ଷେପ ସମ୍ପର୍କରେ ମତ ଲୋଡ଼ୁଥାଇପାରନ୍ତି। ବିଶେଷକରି ଭାରତୀୟ ଭେଷଜ ସଂଘ (ଆଇଏମ୍ଏ) ଗୋଷ୍ଠୀ ସଂକ୍ରମଣ ଭାରତରେ ଆରମ୍ଭ ହୋଇଯାଇସାରିଲାଣି ବୋଲି ଘୋଷଣା କରିବା ପରେ ସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଲାଣି। ଯେଉଁସବୁ ଦେଶରେ ରାଜନେତାଙ୍କ ବ୍ୟତୀତ ଡାକ୍ତର, ବୈଜ୍ଞାନିକ, ଗବେଷକ, ସାମାଜିକ ନେତୃତ୍ୱ ଏବଂ ଗଣମାଧ୍ୟମ ସହିତ ଆଲୋଚନା କରି ପଦକ୍ଷେପ ନିଆଯାଇଛି, ସେଠାରେ ଦେଖିବାକୁ ମିଳିଛି ଯେ କୋଭିଡ୍ର ବ୍ୟାପିବା ଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ନ ହେଲେ ମଧ୍ୟ ଅନେକାଂଶରେ ଧିମେଇ ଦିଆଯାଇପାରିଛି। ଦୁଃଖର ବିଷୟ ଯେ, ତାହା ଭାରତରେ କରାଯାଉନାହିଁ।
ଇତିମଧ୍ୟରେ ଜୁଲାଇ ୩୧ ଯାଏ ଓଡ଼ିଶା ସମେତ କେତେକ ରାଜ୍ୟ ଲକ୍ଡାଉନ୍ କରିଥିବା ବେଳେ ଆଉ କିଛି ରାଜ୍ୟ ପୁଣି ଲକ୍ଡାଉନ୍ ଲାଗୁ କରିବା ସକାଶେ ଚିନ୍ତା କରୁଥିବା ଗଣମାଧ୍ୟମରୁ ଜଣାପଡ଼ୁଛି। ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଲକ୍ଡାଉନ୍ ଜରିଆରେ ସଂକ୍ରମଣକୁ ପ୍ରତିହତ କରିବା ସମ୍ଭବ ମନେହେଉ ନାହିଁ। କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ ମଧ୍ୟ କହିସାରିଲେଣି ଯେ ସେଠାରେ ଗୋଷ୍ଠୀ ସଂକ୍ରମଣ ହୋଇଗଲାଣି। ଭାରତ ସରକାର ଏହି ବିଷୟକୁ ସ୍ବୀକାର କରି ନ ଥିଲେ ମଧ୍ୟ ସଂକ୍ରମଣର ଧାରାକୁ ଦେଖିଲେ ଏହା ସତ୍ୟ ବୋଲି ଅନୁଭୂତ ହେଲାଣି। ଏଠାରେ ପୁନର୍ବାର ଆଇଏମ୍ଏ ଅଧ୍ୟକ୍ଷ ଭି. କେ. ମୋଙ୍ଗାଙ୍କ କହିବା ଅନୁଯାୟୀ ଭାରତର ସହରାଞ୍ଚଳରେ ସଂକ୍ରମଣକୁ ଆୟତ୍ତ କରିବା ଅନେକ ମାତ୍ରାରେ ସମ୍ଭବପର ହୋଇଛି, କିନ୍ତୁ ଏବକାର ସ୍ଥିତିକୁ ଦେଖିଲେ ତାହା ଅସମ୍ଭାଳ ହେବାକୁ ଯାଉଛି କାରଣ କରୋନା ବର୍ତ୍ତମାନ ଗ୍ରାମାଞ୍ଚଳରେ ପ୍ରବଳମାତ୍ରାରେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଯାଉଛି। ଯେତେବେଳେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ସେତେବେଳେ ସରକାର ଏହାକୁ ପ୍ରତିହତ କରିବା ଲାଗି କେବଳ ଲକ୍ଡାଉନ୍ କରିଦେଲେ ସ୍ଥିତିରେ ସୁଧାର ଆସିଯିବ ବୋଲି ଭାବିହେଉ ନାହିଁ। ବରଂ ଏଭଳି କଟକଣା ଅର୍ଥନୀତିକୁ ଆହୁରି ଦୁର୍ବଳ କରିଦେବ।
ଏବେ ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗକୁ ଦେଖାଯାଉ। କେନ୍ଦ୍ର ସରକାର ମୂଳ ଲକ୍ଡାଉନ୍ ଅର୍ଥାତ୍ ମାର୍ଚ୍ଚ ୨୫ରେ ନିଷ୍ପତ୍ତି କରିବା ବେଳେ ଭାବିଚିନ୍ତି ପଦକ୍ଷେପ ନେବାରେ ବିଫଳ ହେବାରୁ ଫଳ ଏବେ ସମସ୍ତଙ୍କୁ ଭୋଗିବାକୁ ପଡ଼ୁଛି। ଏଠାରେ ମନେରଖିବାକୁ ହେବ ଯେ, ଏହି ଭୂତାଣୁ ଭାରତରେ ଜନ୍ମ ନେଇନାହିଁ। ଏହା ବିଦେଶରୁ ଆସିଥିବା ଏକ ସଂକ୍ରମଣ। ଭାରତ ସରକାରଙ୍କ ଉତ୍ସାହପୂର୍ବକ ପଦକ୍ଷେପ ଯୋଗୁ ଏହି ବର୍ଷ ଫେବୃୟାରୀ ଓ ମାର୍ଚ୍ଚରେ ବିଦେଶରୁ ବିମାନ ଯୋଗେ ବହୁ ଭାରତୀୟଙ୍କୁ ସରକାରୀ ଖର୍ଚ୍ଚ ଓ ବ୍ୟବସ୍ଥା ମାଧ୍ୟମରେ ଘରକୁ ଫେରାଇ ଅଣାଯାଇଥିଲା। ସେଥିଯୋଗୁ କୋଭିଡ୍-୧୯ ପ୍ରଥମେ ଭାରତ ମାଟି ଛୁଇଁଥିଲା। ଯଦି ମାର୍ଚ୍ଚ ୨୫ରେ ଲକ୍ଡାଉନ୍ ପରିବର୍ତ୍ତେ ତାହା ପୂର୍ବରୁ ଉଡ଼ାଜାହାଜ ଗମନାଗମନ ବନ୍ଦ କରାଯାଇପାରି ଥାଆନ୍ତା, ତେବେ ହୁଏତ ଆଜିର ଏହି ସ୍ଥିତି ଅସମ୍ଭାଳ ହୋଇ ନ ଥାଆନ୍ତା। ପୁଣି ଯେତେବେଳେ ସଂକ୍ରମଣ ସ୍ତର ଅତି ନଗଣ୍ୟ ଥିଲା ସେତେବେଳେ ପ୍ରବାସୀ ଶ୍ରମିକଙ୍କ ଯାତାୟାତ ଉପରେ କଟକଣା ଲଗାଇ ଦିଆଗଲା। ପରବର୍ତ୍ତୀ ସମୟରେ ସ୍ଥିତି ଅସମ୍ଭାଳ ହେଲା ବେଳକୁ ସେହି ଶ୍ରମିକମାନଙ୍କୁ ଘରକୁ ଫେରିବାର ସୁଯୋଗ ଦିଆଗଲା। ସେଥିପାଇଁ ଆଜି ଓଡ଼ିଶା, ବିହାର ସମେତ ବହୁ ରାଜ୍ୟରେ ସଂକ୍ରମଣ ବଢ଼ିବଢ଼ି ଚାଲିଛି। ଏତଦ୍ଭିନ୍ନ ଯେଉଁ ସମସ୍ୟା ବର୍ତ୍ତମାନ ଗ୍ରାମାଞ୍ଚଳରେ ଉତ୍କଟ ହେବାରେ ଲାଗିଛି ତାହା ହେଲା ଅସଂଖ୍ୟ ପ୍ରବାସୀଙ୍କ ପରିବାର ଆର୍ଥିକ ସଙ୍କଟରେ ପଡ଼ିବା। ଯାହା ରୋଜଗାର କରି ଆଣିଥିଲେ ସବୁତକ ସରିଯିବା ପରେ ପରିବାର ଅର୍ଥାଭାବରେ ପଡ଼ିଯାଇଛନ୍ତି। ସରକାରଙ୍କଠାରୁ ଯେଉଁ ଚାଉଳ ବା ଆନୁଷଙ୍ଗିକ ସୁବିଧା ମିଳୁଛି ତାହା ଗୁଜୁରାଣ ମେଣ୍ଟାଇ ପାରୁନାହିଁ। ସେଥିପାଇଁ ଅନେକ ସ୍ଥାନରେ ଘରୋଇ ହିଂସା ବଢ଼ିବାରେ ଲାଗିଛି। କେତେକ ନିଜର ପୂର୍ବ କର୍ମସ୍ଥଳୀରୁ ଡକରା ପାଇ ଫେରି ଯାଉଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି। ଏଥିରୁ ବୁଝିବାକୁ ହେବ ଯେ ଅର୍ଥନୈତିକ କାର୍ଯ୍ୟକଳାପ ମଣିଷ ପାଇଁ ସର୍ବୋଚ୍ଚ ଚାହିଦା ଭାବେ ରହୁଛି। କେତେକେ କହୁଥିବା ଶୁଣିବାକୁ ମିଳୁଛି ଯେ, କରୋନାରେ ତ ଏମତି ମରିବୁ, କାମ କରି ପଛେ ମଲେ ମରିବୁ। ଅର୍ଥାତ୍ ପେଟର ଭୋକ ଭୂତାଣୁ ସଂକ୍ରମଣକୁ ପଛରେ ପକାଇ ଦେଇଛି। ଏଥିପାଇଁ ସରକାର କେବଳ ଲକ୍ଡାଉନ୍ କରିଦେଲେ ସଂକ୍ରମଣ ସ୍ତରକୁ ରୋକି ହେବ ନାହିଁ। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ସରକାରୀ ନିୟମାବଳୀକୁ ପାଳନ କରିବା ସକାଶେ ଲୋକେ ଶିଖିବା ଦରକାର। ସବୁ କଥାରେ ସରକାର ତାଗିଦ୍ କରୁ ବୋଲି କହିଲେ ତାହା ଭାରତରେ ସମ୍ଭବପର ହେଉ ନାହିଁ। କାରଣ ମାର୍ଚ୍ଚଠାରୁ ଆଜି ପର୍ଯ୍ୟନ୍ତ ଯାହା କିଛି କେନ୍ଦ୍ର ବା ରାଜ୍ୟ ସରକାରଗୁଡ଼ିକ କରୁଛନ୍ତି, ପ୍ରାୟ ସବୁ ପଦକ୍ଷେପ ତ୍ରୁଟିପୂର୍ଣ୍ଣ ଥିବାରୁ ଫଳାଫଳ ବ୍ୟର୍ଥ ଯାଉଛି। ତାହାର ସବୁଠାରୁ ବଡ଼ ପ୍ରମାଣ ହେଲା, ଯାହା ଆଇଏମ୍ଏ କହୁଛି, ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି।
ଜୀବନ ଓ ଜୀବିକା ମଧ୍ୟରେ ଏ ଯେଉଁ ସଂଘର୍ଷର ଚିତ୍ର ସାମ୍ନାକୁ ଆସୁଛି ସେଥିରେ ଲୋକଙ୍କ ପାଇଁ ଖାଦ୍ୟ ଚିନ୍ତା ସର୍ବାଗ୍ରେ ରହୁଛି। ଏବେ ସମୟ ଆସିଲାଣି ସରକାରଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଘଟିବା ଦରକାର। ଜନସାଧାରଣ ସଚେତନ ହୋଇ ନିଜର ସୁରକ୍ଷା ସମ୍ପର୍କରେ କାର୍ଯ୍ୟ କରିବା ସହିତ ସରକାର ଅତି ଅତିଶ୍ରୀଘ୍ର ଦେଶର ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିକୁ ସଜାଡ଼ିବାରେ ଲାଗିପଡ଼ନ୍ତୁ। କୋଭିଡ୍-୧୯ରେ ଆହୁରି ଅନେକ ଭାରତୀୟ ଆକ୍ରାନ୍ତ ହେବେ। କିନ୍ତୁ ତାହାଠାରୁ ଯଥେଷ୍ଟ ଅଧିକ କଲବଲ ହେବେ ଯଦି ସରକାର ନିଜର ଶକ୍ତି ଅର୍ଥନୀତିକୁ ବଞ୍ଚାଇବା ପାଇଁ ବ୍ୟବହାର ନ କରି ନୀରବଦ୍ରଷ୍ଟା ପାଲଟିଯିବେ।