ନୂଆଦିଲ୍ଲୀ,୯।୧: ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍ଓ୍ବାଲଙ୍କ ମଧ୍ୟରେ ଏମ୍ସିଡି ନିର୍ବାଚନରେ ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ନେଇ ବିବାଦ ଶେଷ ହୋଇନାହିଁ। ଏହି ସମୟରେ ଭି.କେ ସାକ୍ସେନା ସୋମବାର କେଜିର୍ଓ୍ବାଲଙ୍କୁ ଚିଠି ଲେଖି ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହାପୂର୍ବରୁ କେଜିର୍ଓ୍ବାଲ ସାକ୍ସେନାଙ୍କୁ ଏକ ଚିଠି ଲେଖି କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ କରିଥିଲେ।
ସାକ୍ସେନା ଚିଠିରେ ଲେଖିଛନ୍ତି ଯେ, ମୁଁ ପ୍ରଶଂସା କରୁଛି ଯେ ଆପଣ ସହରରେ ଶାସନକୁ ଗମ୍ଭୀରତାର ସହ ଗ୍ରହଣ କରିବା ଆରମ୍ଭ କରିଛନ୍ତି ଏବଂ ରାଜଧାନୀ ପ୍ରଶାସନ ସହ ଜଡିତ ସାମ୍ବିଧାନିକ ବ୍ୟବସ୍ଥା ତଥା ଆଇନର ଜଟିଳତାକୁ ଆପଣ ଅନୁଧ୍ୟାନ କରିଛନ୍ତି। ମୁଁ ଆପଣଙ୍କୁ ଏକ ବୈଠକ ପାଇଁ ନିମନ୍ତ୍ରଣ କରିବାକୁ ଚାହୁଁଛି, ଯେଉଁଠାରେ ଆମେ ଏହି ବିଷୟରେ ସ୍ପଷ୍ଟ ଆଲୋଚନା କରିପାରିବା ବୋଲି ସାକ୍ସେନା କହିଛନ୍ତି।