ରାଗିଗଲେ ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୨୨।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୨୬ ଦିନ ହେବ ଯୁଦ୍ଧ ଚାଲିଛି। ରୁଷିଆର କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନର ଅନେକ ସହର କ୍ଷତିଗ୍ରସ୍ତ ହୋଇଛି। ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ନାଟୋ ଉପରେ ଖୋଲାଖୋଲି ବର୍ଷିଛନ୍ତି। ଯୁଦ୍ଧରେ ପ୍ରତ୍ୟକ୍ଷ ସମର୍ଥନ ଅଭାବରୁ ରାଗିଯାଇ ଜେଲେନସ୍କି ନାଟୋ ରୁଷିଆକୁ ଭୟ କରୁଥିବା କହିଛନ୍ତି।
ଏକ ସାକ୍ଷାତକାରରେ ଜେଲେନସ୍କି କହିଛନ୍ତି, ନାଟୋ ଏବେ କହିବା ଉଚିତ ଯେ ସେମାନେ ଆମକୁ ଗ୍ରହଣ କରୁଛନ୍ତି କି ନାହିଁ କିମ୍ବା ରୁଷିଆକୁ ଭୟ କରି ଆମକୁ ସମର୍ଥନ କରୁନାହାନ୍ତି। ଏଥିସହିତ, ଜେଲେନସ୍କି ପୁଣିଥରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଯେକୌଣସି ସର୍ତ୍ତରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଚେତାବନୀ ଦେଇଛନ୍ତି ଯେ ଯଦି ଆଲୋଚନା ବିଫଳ ହୁଏ ତେବେ ଏହାର ଅର୍ଥ ହେଉଛି ତୃତୀୟ ବିଶ୍ୱଯୁଦ୍ଧ। ୟୁକ୍ରେନ ଏକ ସାହସୀ ଦେଶ ଏବଂ ରୁଷିଆ ନିକଟରେ ଆତ୍ମସମର୍ପଣ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ ଏପର୍ଯ୍ୟନ୍ତ ଅନେକ ରାଉଣ୍ଡ ଆଲୋଚନା କରିଛନ୍ତି, କିନ୍ତୁ କୌଣସି ସମାଧାନ ହୋଇପାରି ନାହିଁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୨୬ ଦିନ ବିତିଗଲାଣି। ଏହି ଯୁଦ୍ଧ ହେତୁ ଉଭୟ ଦେଶ ବହୁ କ୍ଷତି ସହୁଛନ୍ତି। ଯଦିଓ ୟୁକ୍ରେନ ତୁଳନାରେ ରୁଷିଆ ଏକ ଶକ୍ତିଶାଳୀ ଦେଶ, କିନ୍ତୁ ଏହା ମଧ୍ୟ ବହୁତ କ୍ଷତି ସହିଛି।

Share