ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ ଗାଁକୁ ଯାଇ ଭତ୍ତା ଟଙ୍କା ବଣ୍ଟନ କରୁଥିବା ବାହାନା କରି ଭୋଟ ପାଇଁ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ ଉଠିଛି।ଶୁକ୍ରବାର ପୀତବାସ ଦଶରଥପୁର ଗାଁରେ ଟଙ୍କା ବାଣ୍ଟୁଥିଲେ। ଏ ବାବଦରେ ଜାଣିବା ପରେ ଅନ୍ୟ ଦଳର କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଥିଲା।

ଅଭିଯୋଗକାରୀଙ୍କ କହିବା ଅନୁସାରେ ଆଚରଣ ବିଧି ଲାଗୁ ହୋଇଥିବାବେଳେ ସରପଞ୍ଚଙ୍କ ସ୍ବାମୀ ଭତ୍ତା ଟଙ୍କା ବଣ୍ଟନ କରିପାରିବେନି। ସେ ଭୋଟ ପାଇଁ ବାହାନା କରି ଟଙ୍କା ବାଣ୍ଟୁଥିଲେ । ପଞ୍ଚାୟତ ପିଇଓ ଅମୁଲ୍ୟ ପହି କହିଛନ୍ତି, ସରକାରୀ କାର୍ଯ୍ୟରେ ବ୍ୟସ୍ତତା ଥିବାରୁ ସରପଞ୍ଚଙ୍କ ସ୍ବାମୀ ପୀତବାସଙ୍କୁ ବଳକା ରହିଯାଇଥିବା ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟନ ନିମନ୍ତେ ଭତ୍ତା ଟଙ୍କା ଦେଇଥିଲୁ । ତେଣୁ ସେ ଭତ୍ତା ଟଙ୍କା ବଣ୍ଟନ କରିଥିଲେ। ସରପଞ୍ଚଙ୍କ ସ୍ବାମୀ ପୀତବାସ କହିଛନ୍ତି, କିଛି ଲୋକ ଭତ୍ତା ଅନୁଦାନ ପାଇ ନ ଥିଲେ l ସେମାନଙ୍କୁ ଭତ୍ତା ଟଙ୍କା ବାଣ୍ଟୁଥିଲି ।

Share