Categories: ବାଣିଜ୍ୟ

ଗ୍ରାହକଙ୍କୁ ଏସ୍‌ବିଆଇର ଝଟ୍‌କା, ଗୃହ-ଅଟୋ-ବ୍ୟକ୍ତିଗତ ଋଣ ହେଲା ମହଙ୍ଗା

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଇଛି। ବ୍ୟାଙ୍କ ଏହାର ଋଣକୁ ମହଙ୍ଗା କରିଦେଇଛି। ଏବେ ଋଣ ଲାଗି ସୁଧ ଦର ୧୦.୧୦%ରୁ ବଢ଼ି ୧୦.୨୫% ହୋଇଛି। ଫଳରେ ଗୃହ ଋଣ, ଅଟୋ ଋଣ, ବ୍ୟକ୍ତିଗତ ଋଣ ଆଦି ଲାଗି ଇଏମ୍‌ଆଇ ବୃଦ୍ଧି ପାଇବ।

ଏସ୍‌ବିଆଇ ଏମ୍‌ସିଏଲ୍‌ଆର୍‌ ଘୋଷଣା କରିଛି। ଶୁକ୍ରବାରଠାରୁ ଏହା ଲାଗୁ ହୋଇଛି। ତଦନୁଯାୟୀ ଏମ୍‌ସିଏଲ୍‌ଆର୍‌ ରେଟ୍‌ ୮%ରୁ ୮.୮୫% ମଧ୍ୟରେ ରହିବ। ଓଭରନାଇଟ୍‌ ଏମ୍‌ସିଏଲ୍‌ଆର୍‌ ଦର ୮% ରହିଛି। ହେଲେ ୧ ମାସ ଏବଂ ୩ ମାସ ଅବଧି ଲାଗି ଏହି ଦର ୮.୧୫%ରୁ ବୃଦ୍ଧି ପାଇ ୮.୨୦% ହୋଇଛି। ୬ ମାସ ଏମ୍‌ସିଏଲ୍‌ଆର୍‌ରେ ୦.୧୦% ବୃଦ୍ଧି କରାଯାଇଛି। ଋଣ ଦର ବୃଦ୍ଧି ପାଇ ୮.୫୫% ହୋଇଛି।

କହିରଖୁଛୁ, ଏମ୍‌ସିଏଲ୍‌ଆର୍‌ର ଅର୍ଥ ହେଉଛି ସର୍ବନିମ୍ନ ଋଣ ହାର ଯେଉଁଥିରେ କୌଣସି ବ୍ୟାଙ୍କ ଗ୍ରାହକକୁ ଋଣ ଦେଇଥାଏ। ଏସ୍‌ବିଆଇ ଦେଶର ଅଗ୍ରଣୀ ବ୍ୟାଙ୍କ ହୋଇଥିବାରୁ ଅନ୍ୟ ବ୍ୟାଙ୍କ ମଧ୍ୟ ଏହାର ଅନୁସରଣ କରିବେ ଏବଂ ଋଣ ଦର ବୃଦ୍ଧି କରିବାର ସମ୍ଭାବନା ରହିଛି।

Share