Categories: ବାଣିଜ୍ୟ

ସ୍ଥାୟୀ ଜମା ଉପରେ ସୁଧହାର ବୃଦ୍ଧି କଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ

ମୁମ୍ବାଇ,୨୭।୧୨: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ୨ କୋଟିରୁ କମ୍ ସ୍ଥାୟୀ ଜମା ଉପରେ ଏଫଡି ସୁଧ ହାରକୁ ୫୦ ବେସିସ ପଏଣ୍ଟ ବୃଦ୍ଧି କରିଛି। ଏସବିଆଇ ୱେବସାଇଟ୍ ଅନୁଯାୟୀ, ଏଫଡି ସୁଧ ହାର ବୃଦ୍ଧି ୨୭ ଡିସେମ୍ବର ୨୦୨୩ ଠାରୁ କାର୍ଯ୍ୟକାରୀ ହେବ। ଅର୍ଥାତ୍ ଏଫଡି ଉପରେ ବର୍ଦ୍ଧିତ ହାର ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି। ସେହିଭଳି ୨ କୋଟିରୁ ଅଧିକ ଜମା ଉପରେ ଏଫଡି ହାର ବୃଦ୍ଧି କରିଛି ବ୍ୟାଙ୍କ। ବ୍ୟାଙ୍କ ଏକ ବର୍ଷରୁ ୨ ବର୍ଷରୁ କମ୍, ୨ ବର୍ଷରୁ ୩ ବର୍ଷରୁ କମ୍ ଏବଂ ପାଞ୍ଚ ବର୍ଷରୁ ୧୦ ବର୍ଷକୁ ଛାଡି ବାକି ସମସ୍ତ ସୁଧହାର ବୃଦ୍ଧି କରିଛି।

ଏହା ବ୍ୟତୀତ ୭ ଦିନରୁ ୪୫ ଦିନ ମଧ୍ୟରେ ପରିପକ୍ଵ ହେଉଥିବା ଜମା ଉପରେ ୫୦ ବେସିସ୍ ପଏଣ୍ଟ ସୁଧହାର ବୃଦ୍ଧି ପାଇ ୩.୫୦ ପ୍ରତିଶତ ହୋଇଛି। ସେହିପରି ୪୬ ଦିନରୁ ୧୭୯ ଦିନରେ ପରିପକ୍ଵ ହେଉଥିବା ଜମା ଉପରେ ୨୫ ବେସିସ୍ ପଏଣ୍ଟ ସୁଧହାର ବୃଦ୍ଧି ପାଇ ୪.୭୫ ପ୍ରତିଶତ ହୋଇଛି। ସେହିଭଳି ୧୮୦ ଦିନରୁ ୨୧୦ ଦିନ ପାଇଁ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରି ୫.୭୫ ପ୍ରତିଶତ କରିଛି, ୨୧୧ ଦିନରୁ ୧ ବର୍ଷ ପାଇଁ ୨୫ ବେସିସ ପଏଣ୍ଟ ବୃଦ୍ଧି ପାଇ ୬ ପ୍ରତିଶତ ହୋଇଛି। ସେହିପରି ୩ ବର୍ଷରୁ ୫ ବର୍ଷ ପାଇଁ ମଧ୍ୟ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୬.୭୫ ପ୍ରତିଶତ ହୋଇଛି।

ତେବେ ବରିଷ୍ଠ ନାଗରିକମାନେ ଏହି ଜମା ଉପରେ ଅତିରିକ୍ତ ୦.୫୦ ପ୍ରତିଶତ ସୁଧ ପାଇବେ। ସବିଶେଷ ସୁଧହାର ବୃଦ୍ଧି ପରେ, ଏସବିଆଇ ସାତ ଦିନରୁ ଦଶ ବର୍ଷ ମଧ୍ୟରେ ପରିପକ୍ୱ ଜମା ଉପରେ ୪ ରୁ ୭.୫% ପର୍ଯ୍ୟନ୍ତ ହାର ପ୍ରଦାନ କରିବ।

ଏହା ସହିତ, ଏସବିଆଇ ଡିସେମ୍ବର ୨୦୨୩ ରେ ଟର୍ମ ଜମା ଉପରେ ସୁଧ ହାର ବୃଦ୍ଧି କରିବାରେ ପଞ୍ଚମ ବ୍ୟାଙ୍କ। ବ୍ୟାଙ୍କ ଅଫ୍ ଇଣ୍ଡିଆ, ଫେଡେରାଲ୍ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଡିସିବି ବ୍ୟାଙ୍କ ମଧ୍ୟ ଏହି ମାସରେ ସେମାନଙ୍କ ଟର୍ମ ଜମା ଉପରେ ହାର ବୃଦ୍ଧି କରିଛନ୍ତି। ଡିସେମ୍ବର ୮ ଏମପିସି ବୈଠକରେ କ୍ରମାଗତ ପଞ୍ଚମ ଥର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପ୍ରମୁଖ ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବା ପରେ ଏହି ହାର ବୃଦ୍ଧି ଘଟିଛି।

 

Share