Categories: ବାଣିଜ୍ୟ

ପୂର୍ବତଟ ରେଳପଥ ସହ ଏସ୍‌ବିଆଇର ବୁଝାମଣା

ଭୁବନେଶ୍ୱର,୬।୯ (ଅଭୟ ଦାଶ): ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ) ଏବଂ ପୂର୍ବତଟ ରେଳପଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ରେଳ କର୍ମଚାରୀଙ୍କ ଦରମା ସହ ଅନ୍ୟାନ୍ୟ ସୁବିଧା ଏସ୍‌ବିଆଇ ଭୁବନେଶ୍ୱର ମଣ୍ଡଳ ଜରିଆରେ ଯୋଗାଇ ଦିଆଯିବ ବୋଲି ଉଭୟ ସଂସ୍ଥା ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ଏପରିକି ଏ ନେଇ ଉଭୟ ସଂସ୍ଥା ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ମୁଖ୍ୟାଳୟ ‘ରେଳ ସଦନ’ ଠାରେ ଗୁରୁବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ ଏବଂ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କଓ୍ବାଲାଙ୍କ ସମେତ ଏସ୍‌ବିଆଇ ଓ ରେଲୱେର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ,ଏହି ବୁଝାମଣା ପରେ ରେଳ କର୍ମଚାରୀମାନେ ଷ୍ଟେଟ ବ୍ୟାଙ୍କ ଦରମା ପ୍ୟାକେଜ ଅନ୍ତର୍ଗତ ମାଗଣା ଜୀବନ ବୀମା, ଦୁର୍ଘଟଣା ବୀମା ଓ ସ୍ବାସ୍ଥ୍ୟ ବୀମା ଆଦି ରିହାତି ଦରରେ ପାଇବେ। ସେହିଭଳି ବ୍ୟାଙ୍କର ଲକର ସୁବିଧା ସହିତ ରୂପେ ଡେବିଟ୍‌ କାର୍ଡ ଓ ଅନ୍ୟାନ୍ୟ ସୁବିଧାର ମଧ୍ୟ ଲାଭ ମଧ୍ୟ ଉଠାଇପାରିବେ।

Share