Categories: ବାଣିଜ୍ୟ

ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗି ଏସ୍‌ବିଆଇର ବଡ଼ ଯୋଜନା: ଯେକୌଣସି ସ୍ଥାନରୁ କାମ କରିପାରିବେ କର୍ମଚାରୀ

ମୁମ୍ବାଇ,୧୪।୭: କୋଭିଡ୍‌ ଯୋଗୁ ବର୍ତ୍ତମାନ ଅଫିସ କଲ୍‌ଚର ବଦଳିଯାଇଛି। ଲୋକମାନେ ଓ୍ବାର୍କ ଫ୍ରମ୍‌ ହୋମ୍‌ ବା ଘରେ ରହି କାମ କରୁଛନ୍ତି। ସଂକ୍ରମଣ ଭୟ ରହୁଥିବାରୁ ଏଭଳି କରାଯାଉଛି। ଲୋକଙ୍କୁ ସେବା ଯୋଗାଣ ଲାଗି ବ୍ୟାଙ୍କ ଖୋଲା ରହୁଥିବା କର୍ମଚାରୀଙ୍କୁ ବ୍ୟାଙ୍କ ଆସିବାକୁ ପଡୁଛି। ଏଭଳି ସ୍ଥିତିରେ ଦେଶର ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗି ବଡ଼ ଯୋଜନା କରୁଛି। କର୍ମଚାରୀମାନେ ଯେକୌଣସି ସ୍ଥାନରୁ ଏହା ଦ୍ୱାରା କାମ କରିବାକୁ ସୁବିଧା ପାଇବେ। ଏଥିଲାଗି ବ୍ୟାଙ୍କ ବର୍ତ୍ତମାନ ଭିତ୍ତିଭୂମି ସ୍ଥାପନ କରୁଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ବ୍ୟାଙ୍କ ପ୍ରାୟ ୧୦୦୦ କୋଟି ଟଙ୍କା ସଞ୍ଚୟ କରିବାକୁ ସକ୍ଷମ ହେବ ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର ମଙ୍ଗଳବାର ସୂଚନା ଦେଇଛନ୍ତି। ବ୍ୟାଙ୍କର ୬୫ତମ ବାର୍ଷିକ ସାଧାରଣ ବୈଠକରେ ଅଂଶୀଦାରଙ୍କୁ ଉଦ୍‌ବୋଧନ ଦେଇ କୁମାର କହିଛନ୍ତି ଯେ, ଖର୍ଚ୍ଚକାଟ, କର୍ମଚାରୀଙ୍କୁ ପୁନଃ କୁଶଳୀ କରିବା ଏବଂ କର୍ମଚାରୀଙ୍କ ଉତ୍ପାଦକତା ବୃଦ୍ଧି ଉପରେ ବର୍ତ୍ତମାନ ଫୋକସ କରାଯାଉଛି। ଗ୍ଲୋବାଲ ପ୍ରାକ୍ଟିସ ଓ୍ବାର୍କ ଫ୍ରମ୍‌ ଏନିହ୍ବେୟାର ବା ଯେକୌଣସି ସ୍ଥାନରୁ ବ୍ୟାଙ୍କର କର୍ମଚାରୀଙ୍କୁ କାମ କରିବାକୁ ସୁବିଧା ମିଳିବ। କୋଭିଡ୍‌ ନିୟନ୍ତ୍ରଣାଧୀନ ହୋଇ ନ ଥିବା ବେଳେ ଚଳିତ ବର୍ଷ ବ୍ୟାଙ୍କ ତଥା ବିତ୍ତ ଅନୁଷ୍ଠାନଗୁଡିକ ଲାଗି ବଡ଼ ଚ୍ୟାଲେଞ୍ଜ। ଏଭଳି ବିଭିନ୍ନ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ଲାଗି ଏସ୍‌ବିଆଇ ପ୍ରସ୍ତୁତ।

Share