ଭୁବନେଶ୍ୱର,୧।୧୧: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍ବିଆଇ)ର ଭୁବନେଶ୍ବର ମଣ୍ଡଳ ଅଧୀନ ଗ୍ରାହକ ସେବା କେନ୍ଦ୍ରର ପରିଚାଳକମାନଙ୍କର ଏକ ବିଶାଳ ସମାବେଶ ନିକଟରେ ସ୍ଥାନୀୟ ରେଳ କୁଞ୍ଜ ଅଡିଟୋରିୟମଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଏସବିଆଇର ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ଉକ୍ତ ସମାବେଶକୁ ଉଦ୍ଘାଟନ କରିବା ସହ ବ୍ୟାଙ୍କର ଆର୍ଥିକ ଅନ୍ତର୍ଭୂକ୍ତୀକରଣ ପ୍ରଣାଳୀରେ ଗ୍ରାହକ ସେବା କେନ୍ଦ୍ର ଓ ବ୍ୟବସାୟ ପ୍ରତିନିଧିମାନଙ୍କ ଗୁରୁଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ରାଜ୍ୟର ପ୍ରତି କୋଣ ଅନୁକୋଣରେ ବ୍ୟାଙ୍କିଙ୍ଗ ସେବା, ସାମାଜିକ ସୁରକ୍ଷା ଓ ଆର୍ଥିକ ସଚେତନତାର ପ୍ରଗତି ପାଇଁ ଶର୍ମା ସମସ୍ତ ଗ୍ରାହକ ସେବା ପରିଚାଳକଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ। ସେହିପରି ଗତ ଅଗଷ୍ଟରେ ଚାଲିଥିବା ସାମାଜିକ ସୁରକ୍ଷା ଅଭିଯାନରେ ଭଲ ପ୍ରଦର୍ଶନ କରିଥିବା ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ଓ ବ୍ୟବସାୟ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଉପ-ମହା ପ୍ରବନ୍ଧକ (ଆର୍ଥିକ ଅନ୍ତର୍ଭୂକ୍ତୀକରଣ) ମନମୋହନ ସ୍ବାଇଁ ଗ୍ରାହକ ସେବା କେନ୍ଦ୍ର ପରିଚାଳକମାନଙ୍କ ବିଭିନ୍ନ ସମସ୍ୟାର ସମ୍ପର୍କରେ ଉତ୍ତର ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପମହାପ୍ରବନ୍ଧକ (କୃଷି) ଧୃବଚରଣ ବଳଙ୍କ ସମେତ ଷ୍ଟେଟ ବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉକ୍ତ ସମାବେଶର ପରିଚାଳନାରେ ସହାୟତା କରିଥିଲେ। ଉକ୍ତ ସଭାରେ ରାଜ୍ୟର ସମସ୍ତ ଜିଲାରୁ ୧୨୮୦ ଗ୍ରାହକ ସେବା ପଏଣ୍ଟ (ସିଏସପି) ଓ ୨୯ ଜଣ ସର୍ବଭାରତୀୟସ୍ତରର ବ୍ୟବସାୟ ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ।