ଭୁବନେଶ୍ୱର,୨୭।୯: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଭୁବନେଶ୍ବର ମଣ୍ଡଳ ଆନୁକୂଲ୍ୟରେ ବିବିପିଏସ ଏବଂ ଏସବିଆଇ ଇ-ପେର ଲୋକପ୍ରିୟତା ବଢାଇବା ପାଇଁ ସୋମବାର ଏକ ବଣିକ ସଂଯୋଗ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏସବିଆଇର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ର ଶେଖର ଶର୍ମା, ଉପ ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ଓ ସଞ୍ଜୟ ଝା ପ୍ରମୁଖ ଉପସ୍ଥିତ ଥିଲେ। ଏପରିକି ଏସବିଆଇର ମହାପ୍ରବନ୍ଧକ ପୋନ୍ନମବଲମ ମୁରୁଗାନ ପ୍ରାରମ୍ଭିକ ଅଭିଭାଷଣ ଜରିଆରେ ଉକ୍ତ ସଭାର ଉଦଘାଟନ କରିଥିଲେ। ବିଶେଷ କରି ଭାରତ ବିଲ୍ ପେମେଣ୍ଟ ସିଷ୍ଟମ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଏକ ଯୋଜନା।ଏହାଦ୍ୱାରା ଗ୍ରାହକ ଅତି ସହଜରେ ଅନେକ ସୁବିଧା ହାସଲ କରିଥାଏ। ସେହିଭଳି ଏହା ଜରିଆରେ ଗ୍ରାହକମାନେ ବିଦ୍ୟୁତ ବିଲ୍, ଟେଲିଫୋନ ବିଲ୍, ସ୍କୁଲ ଫିସ, ମ୍ୟୁନିସିପାଲିଟି ଟିକସ ଆଦି ପଇଠ କରିପାରିବେ। ଏହା ଉଭୟ ଗ୍ରାହକ ଏବଂ ବଣିକମାନଙ୍କ ପାଇଁ ବେଶ ସୁବିଧାଜନକ ଓ ସୁରକ୍ଷିତ ମଧ୍ୟ।ଅପରପକ୍ଷରେ ଏସବିଆଇ ମୁମ୍ବାଇରୁ ଆସିଥିବା ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ପାର୍ଥସାରଥି ପାତ୍ର ଉକ୍ତ ସେବା ବିଷୟରେ ବଣିକମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ପରିଶେଷରେ ଏସବିଆଇ ଉପମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।