କେନ୍ଦ୍ରର ନୀରବତା ଏସ୍‌ସି,ଏସ୍‌ଟିଙ୍କୁ ବ୍ୟଥିତ କରିଛି: ବିଜେଡି

ଭୁବନେଶ୍ୱର,୨୨।୮(ଅନିଲଦାସ): ସମଗ୍ର ଦେଶରେ ଏସ୍‌ସି ଓ ଏସ୍‌ଟି ବର୍ଗର ଲୋକମାନେ ଜୋରଦାର ଆନ୍ଦୋଳନ କରୁଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିକଟରେ ଦିଆଯାଇଥିବା ଏକ ଅର୍ଡରରେ ରିଜରଭେଶନ ଭିତରେ ସବ୍‌ କାଟାଗୋରି ଗଠନ କରିବା ଓ କ୍ରିମିଲେୟାରବର୍ଗଙ୍କୁ ରିଜରଭେଶନରୁ ବାଦ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦେଶର ଏସ୍‌ସି ଓ ଏସ୍‌ଟି ବର୍ଗର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ବୋଲି ବିଜେଡି କହିଛି। ଏ ନେଇ କେନ୍ଦ୍ର ସରକାରଙ୍କ ନୀରବତା ଏସ୍‌ସି ଓ ଏସ୍‌ଟି ବର୍ଗଙ୍କୁ ବ୍ୟଥିତ କରିଛି ବୋଲି ବିଜେଡି ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝି କହିଛନ୍ତି ।
ବୁଧବାର ଶଙ୍ଖ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ବିଜୁ ଜନତା ଦଳ ସବୁ ସମୟରେ ଏସ୍‌ସି ଓ ଏସ୍‌ଟି ବର୍ଗର ମଙ୍ଗଳ ସହ ତାଙ୍କର ସମସ୍ତ ନ୍ୟାଯ୍ୟ ଦାବି ପୂରଣ ପାଇଁ ଲଢ଼େଇ ଜାରି ରଖିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଆଦିବାସୀ ଓ ଦଳିତ ବର୍ଗର ସର୍ବାଙ୍ଗୀନ ବିକାଶ ପାଇଁ ଅନେକ କାର୍ଯ୍ୟ ହୋଇଛି ା ରାଜ୍ୟର ୩ଟି ମେଡିକାଲ କଲେଜ ଆଦିବାସୀ ସମ୍ପ୍ରଦାୟର ବରପୁତ୍ରଙ୍କ ନାମରେ ନାମିତ ହୋଇଥିବା ବେଳେ ରାଉରକେଲାରେ ନିର୍ମିତ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମକୁ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଯାଇଛି। ଆଦିବାସୀ ଓ ଦଳିତବର୍ଗର ଲୋକଙ୍କ ବିକାଶ ପାଇଁ ବିଜୁ ଜନତା ଦଳ ସର୍ବଦା ତପତ୍ର ରହିଛି ଓ ଅଦାଲତର ରାୟକୁ ଅନୁଧ୍ୟାନ କରି ଅତିଶୀଘ୍ର ବିଜେଡି ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ପ୍ରିୟବ୍ରତ କହିଛନ୍ତି।

Share