ନୂଆଦିଲ୍ଲୀ,୧୦।୭: ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ନେତାସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧିକୁ ବଢାଇଛନ୍ତି ସୁପ୍ରିମକୋର୍ଟ। ସୋମବାର କୋର୍ଟ ମେଡିକାଲ ଗ୍ରାଉଣ୍ଡରେ ଏହି ଅବଧି ବଢାଇଥିବା କହିଛନ୍ତି।
ସ୍ବାସ୍ଥ୍ୟଗତ କାରଣ ଯୋଗୁ ମଧ୍ୟବର୍ତ୍ତିକାଳୀନ ଜାମିନ ପାଇଥିବା ଜୈନ ଏବେ ଆଉ ଜେଲକୁ ଫେରିବେ ନାହିଁ। ସୁପ୍ରିମକୋର୍ଟଙ୍କ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଜାମିନ ଅବଧିକୁ ବଢାଇ ଦିଆଯାଇଛି। ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି ୧୧ ଜୁଲାଇରେ ଶେଷ ହେଉଥିଲା।
ଜୈନ ମେଡିକାଲ ରିପୋର୍ଟ ଦାଖଲ କରି କହିଥିଲେ କି ତାଙ୍କୁ କେତୋଟି ସର୍ଜରୀ କରିବାର ଅଛି। ସେ କୋର୍ଟରେ ମନି ଲଣ୍ଡରିଂ ମାମଲାରେ ଜାମିନ ଅବଧି ବଢାଇବାକୁ ଆବେଦନ କରିଥିଲେ। କୋର୍ଟଙ୍କ ପକ୍ଷରୁ ପରବର୍ତ୍ତି ଶୁଣାଣି ଜୁଲାଇ ୨୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କୋର୍ଟ ଇଡିକୁ ରିପୋର୍ଟ ଦେଖିବାକୁ ଅନୁମତି ଦେବା ସହ ପ୍ରତିକ୍ରିୟା ମାଗିଛନ୍ତି।