ସ୍କୁଲ ଖୋଲିବା ନିର୍ଦ୍ଦେଶ ଜାରି କରିବାକୁ ମନାକଲେ ଏସ୍‌ସି, ରାଜ୍ୟ ସରକାର ଏନେଇ ନିଅନ୍ତୁ ନିଷ୍ପତ୍ତି …

ନୂଆଦିଲ୍ଲୀ,୨୦।୯: ଦେଶରେ ସ୍କୁଲ ଖୋଲିବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌କୋର୍ଟ (ଏସ୍‌ସି) ମନା କରିଛନ୍ତି। କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରିବା ଆବଶ୍ୟକ ବୋଲି ଶୀର୍ଷ କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ସ୍କୁଲ ଖୋଲିବା ଲାଗି ନିର୍ଦ୍ଦେଶ ଦେବା ଆବେଦନ ନ୍ୟାୟ ସଙ୍ଗତ ନୁହେଁ।

ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ବି.ଭି. ନାଗରଥ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସମସ୍ତ ରାଜ୍ୟରେ ସ୍କୁଲ ଖୋଲିବାକୁ କୁହାଯାଇ ପାରିବ ନାହିଁ। ସେହିପରି ଅଭିଭାବକଙ୍କୁ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଛାଡ଼ିବାକୁ ବାଧ୍ୟ ମଧ୍ୟ କରି ହେବ ନାହିଁ। ଏହି ମାମଲା ଉପରେ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି।ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ମାମଲା ଉପରେ ଶୁଣାଣି ହେବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ଦିଲ୍ଲୀର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ଗତ ବର୍ଷ କରୋନା ମହାମାରୀ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବା ଦର୍ଶାଇ ସ୍କୁଲ ଖୋଲିବାକୁ ଏକ ଆବେଦନ ଦାଖଲ କରିଥିଲେ। ତେବେ ଖଣ୍ଡପୀଠ ଏନେଇ ବିଚାର କରିବାକୁ ମନା କରିବାରୁ ଆବେଦନକାରୀ ଛାତ୍ରଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ରବି ପ୍ରକାଶ ମେହରୋତ୍ରା ଏହାକୁ ଫେରାଇ ନେଇଛନ୍ତି।

Share