Categories: ଜାତୀୟ

ଏସ୍‌ସି, ଏସ୍‌ଟିଙ୍କୁ ସବୁ ଅପମାନ ଅପରାଧ ନୁହେଁ

ନୂଆଦିଲ୍ଲୀ, ୭।୧୧: ଜଣେ ବ୍ୟକ୍ତିଙ୍କ ପ୍ରତି ସମସ୍ତ ପ୍ରକାର ଅପମାନ କିମ୍ବା ଧମକକୁ ଅନୁସୂଚିତ ଜାତି(ଏସ୍‌ସି)/ଜନଜାତି(ଏସ୍‌ଟି) ଆଇନ ଅନୁଯାୟୀ ଅପରାଧ ବିବେଚନା କରାଯାଇପାରିବ ନାହିଁ, ଯଦି ଅପମାନ ସମ୍ପୃକ୍ତ ବ୍ୟକ୍ତିଙ୍କ ଜାତିକୁ ନେଇ ହୋଇ ନ ଥାଏ । ସେହିପରି ଚାରିକାନ୍ଥ ଭିତରେ ଅନୁସୂଚିତ ଜାତି କିମ୍ବା ଜନଜାତିଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଅପରାଧ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଘର ବାହାର ଲନ୍‌ରେ ସେଭଳି ମନ୍ତବ୍ୟ ଦେବାବେଳେ ରାସ୍ତାରୁ କିମ୍ବା ପାଚେରି ବାହାରୁ ଯଦି କେହି ଦେଖିପାରୁଥାନ୍ତି ତେବେ ତାହା ସର୍ବସାଧାରଣରେ ଦୃଶ୍ୟମାନ ହେଉଥିବା ସ୍ଥାନ ଭାବେ ବିବେଚନା କରାଯିବ। ଅନ୍ୟମାନଙ୍କ ସମ୍ମୁଖରେ ଅନୁସୂଚିତ ଜାତି ଓ ଜନଜାତିର ଲୋକ ଅପମାନିତ ହେଲେ ତାହାକୁ ଅପରାଧ ଭାବେ ଗ୍ରହଣ କରାଯାଇଥାଏ। ଘର ଭିତରେ ଜଣେ ମହିଳାଙ୍କ ପ୍ରତି ହୋଇଥିବା ଅପମାନକୁ ସର୍ବୋଚ୍ଚ ଅଦାଲତ ଏସ୍‌ସି/ଏସ୍‌ଟି ଆଇନରେ ଅପରାଧ ପର୍ଯ୍ୟାୟଭୁକ୍ତ ନୁହେଁ ଦର୍ଶାଇ ଆବେଦନକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ ନାଗେଶ୍ୱର ରାଓ, ହେମନ୍ତ ଗୁପ୍ତା ଏବଂ ଅଜୟ ରସ୍ତୋଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ପିଟିଶନର ଶୁଣାଣି କରି କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକେ ବିଭିନ୍ନ ଅଧିକାରରୁ ବଞ୍ଚତ୍ତ ହେଉଥିବାରୁ ସେମାନଙ୍କର ସାମାଜିକ-ଅର୍ଥନୈତିକ ବିକାଶ ସାଧନ ହେଉଛି ଉକ୍ତ ଆଇନର ଉଦ୍ଦେଶ୍ୟ। ସେହିପରି ଏହି ଆଇନରେ ସମାଜର ଦୁର୍ବଳ ଶ୍ରେଣୀର ଲୋକେ ଅପମାନିତ କିମ୍ବା ଅସମ୍ମାନିତ ହେଲେ, ଏହାକୁ ଅପରାଧ ଭାବେ ଗ୍ରହଣ କରାଯାଇଥାଏ। ସେଥିପାଇଁ ଅପମାନ ନିର୍ଦ୍ଦିଷ୍ଟ ଭାବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଜାତିକୁ ନେଇ କରାଯାଇଥିଲା ବୋଲି ସାବ୍ୟସ୍ତ କରିବାକୁ ହେବ ବୋଲି ଖଣ୍ଡପୀଠ କହିଥିଲେ। ଆଇନର ଧାରା ୩(୧)(ଆର୍‌) ଅନୁଯାୟୀ ଅପମାନ ବା ଧମକ ସର୍ବସାଧାରଣଙ୍କ ଉପସ୍ଥିତିରେ ହୋଇଥିଲେ ଏହାକୁ ଅପରାଧ ବିବେଚନା କରାଯିବ। ତେବେ ମହିଳାଙ୍କ ଅଭିଯୋଗ ଅନୁସୂଚିତ ଜାତି (ନିର୍ଯାତନା ନିବାରଣ) ଆଇନର ସମ୍ପୃକ୍ତ ଧାରାକୁ ସିଦ୍ଧ କରୁ ନ ଥିବାରୁ ଆବେଦନକୁ ଖଣ୍ଡପୀଠ ଖାରଜ କରିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଅଭିଯୁକ୍ତ ହିତେଶ ବର୍ମାଙ୍କ ବିରୋଧରେ ଉତ୍ତରାଖଣ୍ଡ ହାଇକୋର୍ଟ ଉପରୋକ୍ତ ଅପରାଧରେ ସମନ କରିଥିବାବେଳେ ସେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହିତେଶ ସମ୍ପୃକ୍ତ ମହିଳାଙ୍କ ଘରେ ପଶି ତାଙ୍କ ଜାତିକୁ ନେଇ ଗାଳି ଦେଇଥିବା ନେଇ ଏତଲା ଦାଏର ହୋଇଥିଲା।

Share