୨୩ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୧୯।୮(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା ଅତିକ୍ରମ କରିଛି। ଯେତିକି ବର୍ଷା ହେବା କଥା ହେଲା ନାହିଁ। ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ କିଛି ମାତ୍ରାରେ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ଭାଗରେ ନିଅଣ୍ଟିଆ ପରିସ୍ଥିତି ରହିଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଜୁନ୍‌ ପହିଲାରୁ ଅଗଷ୍ଟ ୧୮ ତାରିଖ ମଧ୍ୟରେ ସ୍ବାଭାବିକଠାରୁ ୨୮ ପ୍ରତିଶତ କମ୍‌ ବର୍ଷା ହୋଇଛି। ବର୍ତ୍ତମାନ ସୁଦ୍ଧା ୨୩ ଜିଲାରେ ବର୍ଷା ନିଅଣ୍ଟିଆ ରହିଛି। ସେହି ସବୁ ଜିଲା ରେଡ୍‌ ଜୋନରେ ରହିଛି। କେବଳ କଟକ, ଜଗତ୍‌ସିଂହପୁର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୂଆପଡ଼ା ଏବଂ ପୁରୀ ଜିଲାରେ ବର୍ଷା ସ୍ବାଭାବିକ ରହିଛି। ବୁଧବାର ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Share